ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ: କାରଗିଲର ପ୍ରଥମ ସହିଦ କ୍ୟାପଟେନ ସୌରଭ କାଲିଆଙ୍କୁ ଝୁରୁଛି ଦେଶ; ପାଟ୍ରୋଲିଂ ବେଳେ ବନ୍ଦୀ କରି ବିଭତ୍ସ ଭାବେ ହତ୍ୟା କରିଥିଲା ପାକିସ୍ତାନ

128

କନକ ବ୍ୟୁରୋ: କ୍ୟାପଟେନ୍ ସୌରଭ୍ କାଲିଆ । ଏହି ନାଁ ସେହି ସୈନିକଙ୍କର ଯାହାଙ୍କୁ କାର୍ଗିଲ ଯୁଦ୍ଧର ପ୍ରଥମ ସହିଦ ବୋଲି ଗଣନା କରାଯାଇଥାଏ । କ୍ୟାପଟେନ୍ ସୌରଭ କାଲିଆ ମାତ୍ର ୨୨ ବର୍ଷ ବୟସରେ ଦେଶ ପାଇଁ ସହିଦ ହୋଇଥିଲେ କାର୍ଗିଲ ଯୁଦ୍ଧରେ । କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନା ତାଙ୍କୁ ପ୍ରଥମେ ବନ୍ଦୀ ବନେଇଥିଲା । ଏହା ପରେ ଦେଇଥିଲା ଅକଥନୀୟ ନିର୍ଯ୍ୟାତନା । ଏହା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

୫ ଜଣ ସାଥୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ସୌରଭ କାଲିଆଙ୍କୁ ଧରି ନେଇଥିଲା ପାକିସ୍ତାନୀ ସେନା । ସୌରଭ କାଲିଆ ସେନାର ପ୍ରଥମ ଅଧିକାରୀ ଥିଲେ ଯିଏ ପ୍ରଥମେ ପାକିସ୍ତାନୀ ସେନାର ଅନୁପ୍ରବେଶ ନେଇ ସୂଚନା ଦେଇଥିଲେ । କୁହା ଯାଇଥାଏ ତାଙ୍କୁ ରଡ୍ ରେ ପିଟି ପିଟି ହତ୍ୟା କରିଥିଲା ପାକିସ୍ତାନୀ ସେନା । ତାଙ୍କର ଆଖି ତାଡି ଦିଆଯାଇଥିଲା । ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ପାକିସ୍ତାନର ଏପରି କାର୍ଯ୍ୟ ସତ୍ୱେ ବି ଶତ୍ରୁ ପାଖରେ ମୁଣ୍ଡ ନୁଆଁଇନଥିଲେ କ୍ୟାପଟେନ୍ ସୌରଭ କାଲିଆ । ଦେଶ ପାଇଁ ସହିଦ ହୋଇଯାଇଥିଲେ ।

କାର୍ଗିଲ ବିଜୟ ଦିବସରେ ପୁଅର ବଳିଦାନକୁ ମନେ ପକାଇଛି ସାରା ଦେଶ । ମନେ ପକାଇଛନ୍ତି ପରିବାର ଲୋକେ । ଜଣେ ଭାରତୀୟ ସେନା ପ୍ରତି ପାକିସ୍ତାନର ଏପରି କାର୍ଯ୍ୟ ପାଇଁ ପାକିସ୍ତାନ କ୍ଷମା ମାଗିବ ଆବଶ୍ୟକ ବୋଲି ପରିବାର ଲୋକେ ଦାବି କରିଛନ୍ତି । ସୌରଭ କାଳିଆଙ୍କ ସାହସିକତା ଓ ବଳିଦାନ ପରବର୍ତି ସମୟରେ ଭାରତୀୟ ଜବାନଙ୍କୁ କାର୍ଗିଲ ଯୁଦ୍ଧରେ ଲଢିବାକୁ ଅଧିକ ପ୍ରେରଣା ଯୋଗାଇଥିଲା । ଶେଷରେ ଏଥିରେ ବିଜୟ ହାସଲ କରିଥିଲା ଭାରତ ।