କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମର ଆଲୋଚନା ଚକ୍ରରେ ଯୋଗଦେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୋଟିଏ ବର୍ଷରେ ହିମାଚଳରେ କଂଗ୍ରେସ ସରକାର କଣ କଣ କାର୍ଯ୍ୟ କରିଛି ତାହାର ହିସାବ ଦେଇଛନ୍ତି । ସେ କହିଛନ୍ତି କି, ଯିଏ କ୍ଷମତାରେ ରହିବ ତା ଆଗରେ ଅନେକ ଚ୍ୟାଲେଞ୍ଜ ରହିବ । ହିମାଚଳ ପ୍ରଦେଶର ଆର୍ଥିକ ସ୍ଥିତି ଏବେ ବି ଭଲ ନଥିବା ସୁଖୁ କହିଛନ୍ତି ।
ସେପଟେ କେନ୍ଦ୍ର କଂଗ୍ରେସକୁ ନେଇ ମଧ୍ୟ ମତ ରଖିଛନ୍ତି ସୁଖବିନ୍ଦର ସିଂ ସୁଖୁ । ସେ କହିଛନ୍ତି କି, ଉତ୍ତର ଭାରତରେ ଗୋଟିଏ ରାଜ୍ୟରେ କଂଗ୍ରେସର ସରକାର ରହିଛି । ହେଲେ ସାରା ଦେଶରେ କଂଗ୍ରେସର ବିଚାର ଧାରା ରହିଛି । ହରିଆଣା ଓ ପଞ୍ଜାବରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି ଓ ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେଲେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି । ୫ ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ କଂଗ୍ରେସର ପରାଜିତକୁ ନେଇ ସେ କହିଛନ୍ତି ଯେ, ଲୋକତାନ୍ତ୍ରିକ ଉପାୟରେ ହେଉଥିବା ନିର୍ବାଚନରେ ବିଜୟ ଓ ପରାଜୟ ରହିଛି । ମାତ୍ର ବୈଚାରିକ ଭାବେ ଯଦି କେହି କହୁଛି କଂଗ୍ରେସ ସମାପ୍ତ ହୋଇଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି ।
ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତି ଓ ପୁରୁଣା ପେନସନ ଲାଗୁ କରିବା ନେଇ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଏବେ ହିମାଚଳରେ ୧.୩୬ ଲକ୍ଷ କର୍ମଚାରୀ ପୁରୁଣା ପେନସନର ଲାଭ ପାଉଛନ୍ତି । ହିମାଚଳ ପ୍ରଦେଶ ଏଭଳି ଏକ ରାଜ୍ୟ ଯେଉଁଠାରେ ଅବସରପ୍ରାପ୍ତ କର୍ମଚାରୀମାନେ ପୂର୍ବରୁ ୨୭୫୦ ଟଙ୍କା ପେନସନ ପାଉଥିଲେ ସେମାନେ ଏବେ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ୍ ପାଉଛନ୍ତି ।