ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ

314

କନକ ବ୍ୟୁରୋ : ଅଫିସର ହେବାର ଇଚ୍ଛା ଅନେକଙ୍କର ଥାଏ । କିନ୍ତୁ ବିଭିନ୍ନ କାରଣରୁ ଅନେକ ନିଜର ବୟସସୀମା ଅତିକ୍ରମ କରିବା ପରେ ଏହି ଆଶା ମଉଳିଯାଏ । କିନ୍ତୁ ଏବେ ନିରାଶାରେ ଆଶାର ସଂଚାର ଭରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ, ଓଡ଼ିଶା ସିଭିଲ୍ ସର୍ଭିସ ପାଇଁ ବୟସ ସୀମା ୩୨ରୁ ୩୮ ବର୍ଷ କରିଛନ୍ତି ସରକାର । ଯାହା ଅନେକ ଆଶାୟୀଙ୍କୁ ଖୁସି ଆଣି ଦେଇଛି । କ୍ୟାବିନେଟ୍ରେ ଓଡ଼ିଶା ବେସାମରିକ ସେବା ନିୟମ ୧୯୮୯ ସଂଶୋଧନ କରାଯାଇଛି ।

ସଂଶୋଧିତ ନିୟମ ଅନୁସାରେ,
– ମୂଳ ନିୟମ ଅନୁସାରେ, ଓସିଏସ୍ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ରହିଛି
– ୨୦୨୪ରେ ସିଭିଲ ସର୍ଭିସ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ପ୍ରକାଶିତ ହେବାକୁ ଥିବା ବିଜ୍ଞାପନରେ ସର୍ବୋଚ୍ଚ ବୟସ ସୀମା ୩୮ ବର୍ଷ ରହିବ
– ତେବେ ଅନୁସୂଚିତ ଜାତି/ଜନଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ/ ମହିଳା/ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏଥିରେ ବୟସ କୋହଳ କରାଯିବ
– କରୋନା ପାଇଁ ୨୦୨୧, ୨୦୨୨ ଓ ୨୦୨୩ରେ ଜାରି ହୋଇଥିବା ବିଜ୍ଞାପନରେ ମଧ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ବୟସ ସୀମା କୋହଳ କରିଥିଲେ ସରକାର

ସେପଟେ କ୍ୟାବିନେଟ୍ ନିଷ୍ପତି ପରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ରଛାତ୍ରୀ । କିଛି ଆଶାୟୀ ଛାତ୍ରୀ ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଥିବା ବେଳେ କିଛି ବୟସସୀମାକୁ ୪୨କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

ସେହିପରି ରାଜ୍ୟ ସରକାର ବିଭିନ୍ନ କ୍ୟାଡର ପୁନର୍ଗଠନ କରି ଅନେକ ମୂଳ ପଦବୀ ସୃଷ୍ଟି କରିଛନ୍ତି । ଏହାସହ ୭ଟି ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ପ୍ରଣୟନ କରାଯାଇଛି । ଯେଉଁଥିରେ ନୂଆ ସିଲାବସ ଓ ପରୀକ୍ଷା ଢାଂଚାକୁ ସାମିଲ କରାଯାଇଛି ।