୧୦ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ୧୦୪ ବର୍ଷୀୟା ବୃଦ୍ଧା । ବୟସର ଅପରାହ୍ନରେ ସ୍କାଏଡାଇଭିଂର ନିଶା

Advertisment
୧୦ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ୧୦୪ ବର୍ଷୀୟା ବୃଦ୍ଧା । ବୟସର ଅପରାହ୍ନରେ ସ୍କାଏଡାଇଭିଂର ନିଶା

କନକ ବ୍ୟୁରୋ : ସାଧାରଣତଃ ବଳ ବୟସ ରହିବା ପରେ ଲୋକେ ଘରେ ବସି ଆରାମ କରିବାକୁ ଲାଗିଥାନ୍ତି । ବୃଦ୍ଧ ବୃଦ୍ଧା ଅବସ୍ଥାରେ କୌଣସି କାମ କରିବା ପାଇଁ ଆଉ ଶରୀରରେ ଶକ୍ତି ନଥାଏ । ଯଦି କୌଣସି ବ୍ୟକ୍ତି ୧୦୦ବର୍ଷ ଯାଏଁ ବଞ୍ଚୁଛନ୍ତି ତାହେଲେ ସେ ସଜ୍ୟାସାୟୀ ଅବସ୍ଥାରେ ପଡିରୁହନ୍ତି । କିନ୍ତୁ ଏପରି ଜଣେ ମହିଳା ଅଛନ୍ତି ଯିଏ ୧୦୪ବର୍ଷ ବୟସରେ ସ୍କାଏ ଡାଇଭିଂ କରିବାର ସଉକ୍ ରଖିଛନ୍ତି । ଯେଉଁ ବୟସରେ ଭଲ ଭାବେ ଚାଲିପାରିବା ଅସମ୍ଭବ ହୋଇପଡିଥାଏ, ସେହି ବୟସରେ ଏହି ବୃଦ୍ଧା ଜଣକ ୧୦ହଜାର ଫୁଟ ଉପରୁ ତଳକୁ ଡେଇଁ ରେକର୍ଡ ସୃଷ୍ଟି କରିଛନ୍ତି ।

ଚିକାଗୋର ଜଣେ ଶତାୟୁ ମହିଳା ବିଶ୍ୱର ବୟସ୍କତମ ସ୍କାଏଡାଇଭର ହେବାର ଗୌରବ ହାସଲ କରିଛନ୍ତି। ଦୋରୋଥି ହଫନର ନାମ୍ନୀ ଏହି ୧୦୪ ବର୍ଷୀୟା ଜଣକ ଗତ ରବିବାର ଭୂପୃଷ୍ଠରୁ ପ୍ରାୟ ୧୦ ହଜାର ଫୁଟ ଉଚ୍ଚତାରୁ ଆକାଶଛତା ସହ ତଳକୁ ଡେଇଁଥିଲେ। ଏହାଦ୍ୱାରା ସେ ଗତବର୍ଷ ସ୍ୱିଡେନ୍‌ର ଜଣେ ୧୦୩ ବର୍ଷୀୟଙ୍କ ନାମରେ ଥିବା ରେକର୍ଡକୁ ଅତିକ୍ରମ କରିଛନ୍ତି। ଚାରି ବର୍ଷ ତଳେ ତାଙ୍କୁ ଠିକ୍‌ ଶହେ ବର୍ଷ ହୋଇଥିଲା ବେଳେ ସେ ପ୍ରଥମ ଥର ପାଇଁ ଆକାଶଛତା ପିନ୍ଧି ଆକାଶରୁ ଡିଆଁ ମାରିଥିଲେ। ତେବେ ସେତେବେଳେ ସେ ଘୋଷଣା କରିଥିଲେ ଯେ ତାଙ୍କର ପରବର୍ତ୍ତୀ ଆକାଶ ଡିଆଁ ଅଧିକ ନିଆରା ହେବ। ସତକୁ ସତ ଏହି ଘୋଷଣାର ଚାରିବର୍ଷ ପରେ ସେ ଏପରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି।

ଅବଶ୍ୟ ସେ ତାଙ୍କର ଏହି ଅଭିଯାନକୁ ତାଙ୍କ ସହିତ ଆକାଶ ଛତାରେ ଖସୁଥିବା ସହଯାତ୍ରୀ ଡେରେକ ବାକଷ୍ଟରଙ୍କ ସହାୟତା ଯୋଗୁଁ ସଫଳ କରିପାରିଛନ୍ତି। ଇଲିନଏର ଓଟାଵା ଠାରେ ସେ ଆକାଶଛତାରୁ ଭୂଇଁକୁ ଛୁଇଁଲା ବେଳେ ସମର୍ଥକ ଓ ସାମ୍ବାଦିକମାନଙ୍କ ଉପସ୍ଥିତି ତାଙ୍କୁ ଉଲ୍ଲସିତ କରିଦେଇଥିଲା। ତେବେ ଆକାଶରେ ବିମାନରୁ ଡେଇଁଲା ବେଳର ମୁହୂର୍ତ୍ତ ହିଁ ସବୁଠୁ ରୋମାଞ୍ଚକର ଥିଲା ବୋଲି ହଫନର କହିଛନ୍ତି। ତାଙ୍କର ପରବର୍ତ୍ତୀ ଅଭିଳାଷ କ’ଣ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ‘ତାହା କେହି କେବେ ଜାଣିନଥାଏ’ ବୋଲି ହଫନର ନମ୍ରତାର ସହ ଉତ୍ତର ଦେଇଛନ୍ତି। ତେବେ ଅନୁରୂପ ଭାବେ ତୃତୀୟ ସ୍କାଏଡାଇଭିଂ ଓ ହଟ୍‌ ଏଆର୍ ବେଲୁନ୍‌ରେ ଆକାଶ ପରିଭ୍ରମଣକୁ ସେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ପରିଣତ ବୟସରେ ଏପରି ଦୁଃସାହସିକ ଅଭିଯାନ ବାବଦରେ ତାଙ୍କର ମତ ହେଲା, ‘ବୟସ ହେଉଛି କେବଳ ଏକ ସଂଖ୍ୟା। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ହିଁ କିଛି ଅସାଧାରଣ ସାଧନ ପାଇଁ ଉତ୍‌ପ୍ରେରିତ କରିଥାଏ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe