ସବୁ ସୀମା ଲଂଘିଗଲେ ଅଗରତାଲା ଜିଲ୍ଲାପାଳ । ବିବାହ ଭୋଜି ବନ୍ଦ କରିବାକୁ ଯାଇ ଫିଲ୍ମ ଷ୍ଟାଇଲେ ଦେଖାଇଥିଲେ ଦବଙ୍ଗଗିରି ।

2,695

କନକ ବ୍ୟୁରୋ: ଆସାମର ଅଗରତାଲାରେ ସୋମବାର ରାତିରେ ଏକ ବିବାହ ମଣ୍ଡପରେ ନାଇଟ୍ କର୍ଫ୍ୟୁ ଲାଗୁ ହେବା ପରେ ବିବାହ ଭୋଜି ସରିନଥିଲା । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜିଲ୍ଲାପାଳ ଶୈଳେଶ କୁମାର ଯାଦବ ମଣ୍ଡପକୁ ଯାଇଥିଲେ । ଆଉ ତାପରେ ଘଟିଥିଲା କିଛି ଅଭାବନୀୟ ଘଟଣା ।

କୌଣସି ଫିଲ୍ମର ଖଳନାୟକ ଭଳି ଅଚାନକ ପଶି ଆସି ସମସ୍ତଙ୍କୁ ଭୟଭୀତ କରିବା ସହିତ ବଡ ପାଟି କରି ସମସ୍ତଙ୍କୁ ଡରାଇଥିଲେ ଜିଲ୍ଲାପାଳ । କେବଳ ପାଟି କରି ନଥିଲେ ବୟସ୍କ ପୁରୋହିତଙ୍କୁ ମାଡ ମଧ୍ୟ ମାରିବାକୁ ପଛାଇ ନଥିଲେ ଜିଲ୍ଲାପାଳ ବାବୁ । ଏଥିସହ ବର-କନ୍ୟା ବସିଥିବା ସ୍ଥାନକୁ ଯାଇ ସେମାନଙ୍କୁ ଡରାଇଥିଲେ । ବିବାହ ଭୋଜିରେ ଯୋଗ ଦେଇଥିବା ବୟସ୍କ, ମହିଳା ପିଲା କେହି ବି ଜିଲ୍ଳାପାଳଙ୍କ କ୍ରୋଧରୁ ଛାଡ ପାଇନଥିଲେ । ଶେଷରେ ପୋଲିସକୁ ଲଗାଇ ସମସ୍ତଙ୍କୁ ମଣ୍ଡପରୁ ତଡି ଦେଇଥିଲେ ି ଭାରତୀୟ ପ୍ରଶାସନିକ ଅଧିକାରୀ- ଶୈଳେଶ କୁମାର ଯାଦବ ।

ଜିଲ୍ଲାପାଳ ମହୋଦୟଙ୍କର ଏତିକିରେ ରାଗ ଶାନ୍ତ ହୋଇନଥିଲା । ହିନ୍ଦୀ ଚଳଚିତ୍ର ନାୟକ ଷ୍ଟାଇଲରେ ସେହି ସ୍ଥାନରୁ ସ୍ଥାନୀୟ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । କହିଥିଲେ ସ୍ଥାନୀୟ ପୋଲିସ ପରିବାର ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଆୟୋଜନ କରିବାକୁ ସୁଯୋଗ ଦେଇଥିଲେ । ତେଣୁ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେହିପରି ବିବାହ ଉତ୍ସବ ଆୟୋଜିତ ହୋଇଥିବା ମଣ୍ଡପକୁ ବର୍ଷକ ପାଇଁ ସିଲ କରିବାକୁ ଘୋଷଣା କରିଥିଲେ ।

ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଚାରିଆଡୁ ନିନ୍ଦା କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଖୋଦ ଶାସକ ଦଳର ୫ ବିଧାୟକ । ଜିଲ୍ଲାପାଳ ତାଙ୍କ କ୍ଷମତାର ଦୁରୂପ ଯୋଗ କରି ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପଟେ ଏକ ସ୍ଥାନୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜିଲ୍ଲାପାଳ ସଫେଇ ରଖିଛନ୍ତି । କହିଛନ୍ତି, ଯଦି ଗତ ରାତିରେ ମୋର କାର୍ଯ୍ୟ କାହାକୁ କଷ୍ଟ ଦେଇଥାଏ ସେଥିପାଇଁ ମୁଁ ଦୁଃଖିତ । କିନ୍ତୁ ଯାହା କରିଛି କେବଳ ଲୋକଙ୍କ ଭଲ ପାଇଁ କରିଛି । କାହାକୁ କଷ୍ଟ ଦେବା ବା ଅପମାନିତ କରିବା ମୋର ଉଦେଶ୍ୟ ନୁହେଁ ।