କନକ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ହୋଇଛନ୍ତି ପୂର୍ବତନ ଭାରତୀୟ ବୋଲର ଅଜିତ ଅଗରକର । ବିବାଦ ପରେ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ପଦବୀ ଖାଲି ରହିଥିଲା । ୪୫ ବର୍ଷିୟ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା  ରେସରେ ଆଗରେ ରହିଥିଲେ । ଆଉ ତାଙ୍କୁ ଏହି ପଦବୀ ପାଇଁ ବିସିସିଆଇ ଚୟନ କରିଛି । କୁହାଯାଉଛି ମୁଖ୍ୟ ଚୟନକର୍ତ୍ତା ହେବାକୁ ଚାହୁଁ ନଥିଲେ ଅଗରକର । କାରଣ ତାଙ୍କର ୨ଟି କଥାକୁ ନେଇ ଆପତ୍ତି ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିସିସିଆଇ କଥାରେ ରାଜି ହୋଇଯାଇଥିଲେ । ତେବେ କେମିିତି ତାଙ୍କୁ ବିସିସିଆଇ ମନାଇଥିଲା ଆସନ୍ତୁ ଜାଣିବା ।

Advertisment

ଅଗରକର ପୂର୍ବରୁ କମେଣ୍ଟ୍ରି କରିବା ସହ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ ଜଡିତ ଥିଲେ । ସେ ୨ଟି କାରଣ ଯୋଗୁଁ ଚିଫ ସିଲେକ୍ଟର ହେବାକୁ ଚାହୁଁନଥିଲେ । ପ୍ରଥମ ହେଉଛି ଚିଫ ସିଲେକ୍ଟରର ଦରମା କମ ଥିଲା, ଆଉ ଦ୍ୱିତୀୟ ହେଉଛି ସେ ଚିଫ ସିଲେକ୍ଟର ସହ ସେ ଅନ୍ୟ କୌଣସି ପ୍ରଫେସନାଲ କାମ କରିପାରିବେ ନାହିଁ । କମେଣ୍ଟ୍ରି ଆଉ କୋଚିଂରୁ ତାଙ୍କୁ ଅଧିକ ଦରମା ମିଳୁଥିଲା । ତେଣୁ ଏହି ପଦବୀ ପାଇଁ ସେ ରାଜି ନଥିଲେ । ସେଥିପାଇଁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତାଙ୍କ ଦରମାକୁ ୩ ଗୁଣା ବଢାଇ ବର୍ଷକୁ ୩ କୋଟି ଟଙ୍କା କରିଦେଇଛି । ପୂର୍ବରୁ ଚିଫ ସିଲେକ୍ଟରଙ୍କ ଦରମା ୧ କୋଟି ଟଙ୍କା ରହିଥିଲା ।

ମୁଖ୍ୟ ଚୟନକର୍ତ୍ତା ପାଇଁ ବିସିସିଆଇ ଜଣେ ଯୁବ ଚେହେରାର ସନ୍ଧାନରେ ରହିଥିଲା । ତେଣୁ ଅଗକର ହିଁ ବିସିସିଆଇ ପାଇଁ ସବୁଠାରୁ ବେଷ୍ଟ ବିକଳ୍ପ ରହିଥିଲା । ଆଗକୁ ଆସୁଥିବା କ୍ରିକେଟର ବଡ ବଡ ଇଭେଣ୍ଟକୁ ନଜରରେ ରଖି ଅଜିତ ଅଗରକରଙ୍କୁ ବିସିସିଆଇ ଏହି ବଡ ଦାୟିତ୍ୱ ଦେଇଛି । ସେ ପୂର୍ବରୁ ମୁମ୍ବାଇର ମୁଖ୍ୟ ଚୟନକର୍ତ୍ତା ରହିସାରିଛନ୍ତି । ଏହାସହ ତାଙ୍କ ପାଖରେ ଅଭିଜ୍ଞତା ମଧ୍ୟ ରହିଛି । ଅଗକର ଟି-୨୦ ମ୍ୟାଚ ଖେଳିବା ତାଙ୍କ ପାଇଁ ସବୁଠାରୁ ବଡ ପ୍ଲସ ପଏଣ୍ଟ ରହିଥିଲା । ହେଲେ ଅଗରକରଙ୍କ ସହ ଥିବା ବାକି ଚୟନକର୍ତ୍ତାଙ୍କ ଦରମା ବଢିଛି କି ନାହିଁ ଏବେ କୌଣସି ସୂଚନା ମିଳିନାହିଁ । ସେମାନଙ୍କୁ ବର୍ଷକୁ ୯୦ ଲକ୍ଷ ଟଙ୍କା ଦରମା ମିଳୁଥିଲା ।

ଅଜିତ ଅଗରକରଙ୍କ ସହ ଚୟନକର୍ତ୍ତାଙ୍କ ଟିମରେ ଶିବ ସୁନ୍ଦର ଦାସ, ସୁବ୍ରତୋ ବାନାର୍ଜୀ, ଶ୍ରୀଧରନ ଶରଥ ଓ ଶଲିଲ ଅଙ୍କୋଲା ସାମିଲ ଅଛନ୍ତି । ଅଗରକରଙ୍କ ନେତୃତ୍ୱରେ ଏହି ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ଟିକିଆ ଟି-୨୦ ସିରିଜରେ ଖେଳାଳୀ ଚୟନ କରିବେ । ସେହିପରି ଏସିଆ କପ ଓ ଦିନିକିଆ ବିଶ୍ୱକପ ପାଇଁ ଖେଳିଳୀ ଚୟନ କରିବା ଅଗରକରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ ।

ଅଗରକର ଟିମ ଇଣ୍ଡିଆ ପାଇଁ ୨୬ଟି ଟି-୨୦ ମ୍ୟାଚ ଖେଳି ବୋଲିଂରେ ୫୮ଟି ୱିକେଟ ନେଇଥିଲେ ଓ ବ୍ୟାଟିଂ କରି ୫୭୧ ରନ କରିଥିଲେ । ସେହିପରି ୧୯୧ ଦିନିକିଆ ମ୍ୟାଚ ଖେଳି ୨୮୮ଟି ୱିକେଟ ନେବା ସହ ୧ ହଜାର ୨୬୯ ରନ କରିଥିଲେ । ଅଗକର ମାତ୍ର ୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିଲେ । ହେଲେ ୪୨ଟି ଆଇପିଏଲ ମ୍ୟାଚ ଖେଳି ୨୯ଟି ୱିକେଟ ନେବା ସହ ୧୭୯ ରନ କରିଥିଲେ । ତେବେ ଅଗରକରଙ୍କ ଉପରେ ବିସିସିଆଇ ଏହି ବଡ ଦାୟିତ୍ୱ ଦେଇଛି । ତେବେ ଦେଖିବା ବାକି ରହିଲା ଖେଳାଳି ଚୟନରେ ସେ କେତେ ସଫଳ ହୋଇପାରୁଛନ୍ତି ।