ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ୍ । ଗ୍ରୀନ୍ କରିଡର କରି ମାଲବାହୀ ଟ୍ରେନ୍ ଓ ଟ୍ରଲରରେ ପଠାଗଲା ମେସିନ୍ ।

616

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣଙ୍କ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନ୍କୁ ଗ୍ରୀନ୍ କରିଡର ଦ୍ୱାରା ଉତରକାଶୀ ପଠାଯାଇଛି । ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନ୍କୁ ଖଣ୍ଡଖଣ୍ଡ କରି ପଠାଯାଇଛି । ସମ୍ବଲପୁରରୁ ରାୟପୁର, ଗ୍ୱାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁରରୁ ୨୧ ତାରିଖରେ ଯାଇଥିବା ଏହି ମେସିନ୍ ଉତ୍ତରକାଶୀରେ ପହଞ୍ଚି ସାରିଛି । ଏହି ମେସିନ୍କୁ ନେବା ପାଇଁ କେନ୍ଦ୍ରର ସ୍ୱରାଷ୍ଟ୍ର, ଏନଏଚଏଆଇ ଓ ରେଳ ମନ୍ତ୍ରାଳୟ ସିଧାସଳଖ ତଦାରଖ କରୁଥିଲେ ।

ଏହି ମେସିନ୍ ପହଞ୍ଚିବା ପୂର୍ବରୁ ଗୁଜୁରାଟ ଭଲସାଦରୁ ଆସିଥିବା ଆମେରିକୀୟ ଅଗର ମେସିନ୍ କାମ କରୁଥିଲା । ସମ୍ବଲପୁରରୁ ଉତରକାଶୀ ଯାଇଥିବା ଅଗର ମେସିନ୍ ଆମେରିକୀୟ ଅଗର ମେସିନଠାରୁ ଅଧିକ ଶକ୍ତିଶାଳୀ । ଫ୍ରାନ୍ସ ନିର୍ମିତ ଏହି ମେସିନ୍କୁ ଚଳାଇବାକୁ ପ୍ୟାରସ୍ରୁ ଜଣେ ବିଶେଷଜ୍ଞ ପହଂଚିଛନ୍ତି । ସମ୍ବଲପୁର ହୀରାକୁଦ ହିଣ୍ଡାଲକୋରେ ରହିଥିଲା । ମେସିନ୍ଟିକୁ ନେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । ଗ୍ରୀନ୍ କରିଡର କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଉପସ୍ଥିତିରେ ଏହି ମେସିନ୍କୁ ସ୍ଥାନାନ୍ତର କରାଯାଇଛି ।