କନକ ବ୍ୟୁରୋ : ବୁର୍ଲାରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ଅପରାଧୀଙ୍କ ଖଣ୍ଡାମାଡରେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ହୋଇଛନ୍ତି । ଜଣକ ଅବସ୍ଥା ଗୁରୁତର ରହିଛି । ଘଟଣା ବୁର୍ଲାର ସେଂଟର ଲାଇନ କଲୋନୀରେ ଘଟିଛି ।
ଖବର ଅନୁସାରେ, ଏଠାରେ ରହୁଥିବା ବିଷୋୟୀ ପରିବାର ଉପରେ ୩ ବର୍ଷ ତଳର ରାଗକୁ ନେଇ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ପରିବାରର ସମସ୍ତଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିବା ପରେ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ଦଳବଦ୍ଧ ଭାବେ ୩୦ ଜଣ ଯୁବକ ଆସିଥିଲେ । ପ୍ରଥମେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ଖଣ୍ଡାରେ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ ।
ସମସ୍ତେ ରକ୍ତ ଜୁଡୁବୁଡ ଅବସ୍ଥାରେ ତଳେ ପଡିଯିବା ପରେ ଦୁର୍ବୃତମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନା ପଠାଇଥିଲା । ଗତକାଲି ପରିବାରର ଜଣେ ପୁଅ ପ୍ରାଣ ହରାଇଥିବାବେଳେ ଆଜି ସକାଳେ ଆଉ ଜଣେ ପୁଅ ପ୍ରାଣ ହରାଇଛନ୍ତି । ବାପାଙ୍କ ଅବସ୍ଥା ଗୁରୁତର ରହିଛି । ବୁର୍ଲା ଏସଡିପିଓ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।