କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରାଯାଉଛି । ପୂର୍ବ ଥର ଭଳି ଏଥର ମଧ୍ୟ ଜାତୀୟ ସ୍ତରୀୟ ଲକ୍ଡାଉନ୍ ଘୋଷଣା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅବଶ୍ୟ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଲକ୍ଡାଉନ୍ ହେବ ନାହିଁ। କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସରକାରଙ୍କ ପାଖରେ ଏହା ଛଡ଼ା ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଲକ୍ଡାଉନ୍ ହେଲେ ଭାରତୀୟ ଅର୍ଥନୀତି ଆହୁରି ଦୁର୍ବଳ ହେବ ବୋଲି ଆର୍ଥିକ ସଂସ୍ଥା ବାର୍କ୍ଲେ ଅନୁମାନ ଲଗାଇଛି। ଏହା ଆକଳନ କରିଛି ଯେ ଲକ୍ଡାଉନ୍ ହେଲେ ପ୍ରତି ସପ୍ତାହରେ ଅର୍ଥନୀତି ୯୨୫୦ କୋଟି ଟଙ୍କା (୧.୨୫ ବିଲିଅନ ଡଲାର) କ୍ଷତି ସହିବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଏହା ୧.୪୦% ହ୍ରାସର କାରଣ ହେବ।
ବାର୍କ୍ଲେ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଯେଉଁ ସବୁ କଠୋର କଟକଣା ଘୋଷଣା କରାଯାଇଛି ତାହା ଆସନ୍ତା ମେ’ ଶେଷ ପର୍ଯ୍ୟନ୍ତ ରହିଲେ ୭୭,୭୦୦ କୋଟି ଟଙ୍କା (୧୦.୫ ବିଲିଅନ ଡଲାର)ର ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷତି ହେବ। ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଆମେରିକା ଓ ବ୍ରାଜିଲ୍ ଠାରୁ ଏଠାରେ ଦୈନିକ ସଂକ୍ରମଣ ଅଧିକ ରହୁଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧.୩୭ କୋଟି ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୧,୭୧,୦୫୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ କହୁଛି। କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଆଠଟି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି। ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ଯେଉଁ ସବୁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଛି ସେହି ସବୁ ରାଜ୍ୟ ହେଉଛି ଦେଶର ପ୍ରମୁଖ ଆର୍ଥିକ କେନ୍ଦ୍ର ସ୍ଥଳ ।
ତେଣୁ ସେଠାରେ କଟକଣା ଲାଗିଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନରେ ଗମନାଗମନ ଉପରେ କଟକଣା ଜାରି କରାଯାଇଛି। ସହର ମଧ୍ୟରେ ମୁମ୍ବାଇ ଓ ପୁନେ ସର୍ବାଧିକ ପ୍ରଭାବିତ ହୋଇଛି। ଯେହେତୁ ଦେଶର ଅର୍ଥନୀତି ପ୍ରତି ମହାରାଷ୍ଟ୍ରର ଅବଦାନ ପ୍ରାୟ ୧୬% ପାଖାପାଖି ରହିଛି ତେଣୁ ସେଠାରେ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହେଲେ ଦେଶର ଅର୍ଥନୀତି ସିଧାସଳଖ ଭାବେ ପ୍ରଭାବିତ ହେବ । ନିକଟରେ କେୟାର ରେଟିଙ୍ଗସ୍ ଏହାର ଏକ ରିପୋର୍ଟରେ ଜଣାଇଥିଲା ଯେ ଗମନାଗମନ ଉପରେ ଲଗାଯାଇଥିବା କଟକଣା ଯୋଗୁଁ ମାସକୁ ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ହେବ।
କଟକଣା ବଢ଼ିଲେ କ୍ଷତିର ମାତ୍ରା ବଢ଼ିବ । କରୋନା ମହାମାରୀର ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ଲକ୍ଡାଉନ୍ ଘୋଷଣା କରିଥିଲେ ଯାହା ମେ’ ୩ ପର୍ଯ୍ୟନ୍ତ ରହିଥିଲା । ଏହି ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯିବାରୁ ୨୦୨୦ର ଏପ୍ରିଲ୍-ଜୁନ୍ରେ ଅଭିବୃଦ୍ଧି ୨୩.୯% ହ୍ରାସ ପାଇଥିଲା । ଏହାର ପରବର୍ତୀ ମାସଗୁଡ଼ିକରେ ଅବଶ୍ୟ ସ୍ଥିତିରେ ସୁଧାର ଘଟିଥିଲା । ଏବେ ପୁଣି ସଂକ୍ରମଣ ବୃଦ୍ଧି ପାଇଥିବାରୁ କର୍ପୋରେଟ୍ ଜଗତ ଚିନ୍ତିତ ହୋଇପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/5-15.jpg)