ପୁଣି ପଦାରେ ପଡିଲା ରେଳ ବିଭାଗର ତ୍ରୁଟି। ଲୁପ୍ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍

500

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା କଥା ମନରୁ ନଲିଭୁଣୁୁ, ନୀଳଗିରି ରୋଡ୍ ନିକଟରୁ ଏଭଳି ଏକ ଚିତ୍ର ଆସିଛି, ଯାହା ପୁଣିଥରେ ଚିନ୍ତା ବଢ଼ାଇ ଦେଇଛି । ବଡ଼ ଧରଣର ଅଘଟଣରୁ ବର୍ତି ଯାଇଥିଲେ ବି ପୁଣି ଥରେ ରେଳ ବିଭାଗର ଦାୟିତ୍ୱହୀନତା ପଦାରେ ପଡିଛି । ଭଦ୍ରକରୁ ମେମୁ ଟ୍ରେନ୍ ବାଲେଶ୍ୱର ଯାଉଥିବାବେଳେ କୌଣସି କାରଣରୁ, ନୀଳଗିରି ରୋଡ ବରୁଣସିଂ ଷ୍ଟେସନ ଛାଡିବା ପରେ ଲୁପ୍ ଲୁପ୍ ଲାଇନରେ ପଶିଯାଇଥିଲା । ଏପରିକି ଲୁପ୍ ଲାଇନରେ ଟ୍ରେନଟି ପ୍ରାୟ ୨ଶହ ମିଟର ଆଗେଇ ଯାଇଥିଲା । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ଟ୍ରେନରେ ଥିବା ଯାତ୍ରୀ ।

ଟ୍ରେନଟି ଲୁପ ଲାଇନରେ ଗଡୁଥିବାବେଳେ, ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । କିନ୍ତୁ ଏହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଏକ ବଡ ଦୁର୍ଘଟଣାରୁ ଶତାଧିକ ଯାତ୍ରୀଙ୍କ ଜୀବନ ବଂଚାଇ ଦେଇଥିଲେ ଲୋକୋ ପାଇଲଟ୍ । ଟ୍ରେନଟି ଲୁପ ଲାଇନରେ ପଶି ଯାଇଥିବା ଜାଣିବା ପରେ, କୌଶଳ କ୍ରମେ ଟ୍ରେନର ବ୍ରେକ୍ ମାରି ଅଟକାଇ ଦେଇଥିଲେ ଲୋକୋ ପାଇଲଟ । ଏହା ପରେ ଟ୍ରେନଟି ପଛକୁ ଫେରାଇ ଷ୍ଟେସନରେ ଲଗାଇଥିଲେ । ଷ୍ଟେସନରେ ଗାଡି ପହଁଚିବା ପରେ, ଯାତ୍ରୀମାନେ ଲୋକୋପାଇଲଟଙ୍କୁ ପୁ୍ଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ତେବେ ଟ୍ରେନଟି କେମିତି ଲୁପ୍ ଲାଇନକୁ ଗଲା? ସିଗନାଲ ତ୍ରୁଟି ନା ଟ୍ରାକର ତ୍ରୁଟି ଯୋଗୁଁ ଏଭଳି ହେଲା? ତାହା ସ୍ପଷ୍ଟ ହୋଇନାହିଁ । ତେବେ ବାରମ୍ବାର ଏଭଳି ଘଟିବା ରେଳବାଇର ତ୍ରୁଟିକୁ ପଦାରେ ପକାଇ ଦେଇଛି ।

ଗତ ଜୁନ୍ ମାସ ୨ତାରିଖ ସନ୍ଧ୍ୟାରେ ବାହାନଗାରେ ସିଗନାଲ ତ୍ରୁଟି ପାଇଁ ୨୯୩ ଲୋକଙ୍କ ଜୀବନ ଯାଇଥିଲା । ହଜାର ହଜାର ଲୋକ ଆହତ ହୋଇଥିଲେ । ସିଗନାଲିଂ ତ୍ରୁଟି ପାଇଁ ଏତେ ବଡ ଅଘଟଣ ଘଟିଲା ବୋଲି ବିଭାଗ ପକ୍ଷରୁ କୁହାଯାଉଛି । କିନ୍ତୁ ପୁଣି ଥରେ ଏଭଳି ସ୍ଥିତି ଉପୁଜିବା ରେଳବାଇ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।