ପୁଣି ଉପରମୁହାଁ କରୋନା ସଂକ୍ରମଣ। ମହାରାଷ୍ଟ୍ରରେ ଲାଗିଲା କଟକଣା, ୫ରାଜ୍ୟକୁ କେନ୍ଦ୍ରର ଚିଠି । 

284

କନକ ବ୍ୟୁରୋ: ୩ ମାସର ଆଶ୍ୱସ୍ତି ପରେ ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଗତ କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ମାମଲା ହଜାର ତଳକୁ ରହୁଥିଲା । ତେବେ  ଶୁକ୍ରବାର ୪ହଜାରୁ ଅଧିକ ଓ ଶନିବାର ୪ହଜାର ପାଖରେ  ପହଁଞ୍ଚିଛି ଦୈନିକ ସଂକ୍ରମଣ । ଏଥିସହ ମହାମାରୀ ଦିନକରେ ୨୬ଜଣଙ୍କ ଜୀବନ ନେଇଛି । ସେପଟେ ପଜିଟିଭି ରେଟ ବୃଦ୍ଧି ଚିନ୍ତାକୁ ଦ୍ୱିଗୁଣିତ କରିଛି । କରୋନା ମାମଲା ଦ୍ରୁତ ବୃଦ୍ଧି ପରେ କେନ୍ଦ୍ର ସରକାର ୫ ରାଜ୍ୟକୁ ଚିଠି ଲେଖି ସଜାଗ ଓ ସତର୍କ  ରହିବାକୁ କହିଛନ୍ତି ।

 କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୁଷଣ ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ. ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।  ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ କୁହାଯାଇଛି । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ସଂକ୍ରମିତ କେବଳ ଏହି ୫ ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟମାନଙ୍କୁ ଚିଠି ଲେଖି ନିୟମିତ ପରୀକ୍ଷା, ସ୍କ୍ରିନିଂ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଛି କେନ୍ଦ୍ର ।

ମହାରାଷ୍ଟ୍ରରେ ୨୪ ଘଂଟାରେ ୧୧୩୪ ସଂକ୍ରମିତ ଚିହ୍ନଟ ଓ ୨ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୧୨୭୮ ଜଣ ସଂକ୍ରମିତ ଚିହ୍ନଟ ଓ ୨୦ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ୨୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦେଖି ମହାରାଷ୍ଟ୍ର ସରକାର ଶନିବାରଠୁ ରାଜ୍ୟରେ ପୁଣି କଟକଣା ଲାଗ କରିଛନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସ୍ୱୀକାର । ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।