ଦେଶରେ ପୁଣି ବଢୁଛି କରୋନା : ୧ କୋଟି ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ୫ ଲକ୍ଷ ୪୦ହଜାର ୭୨୦ ଜଣ ସକ୍ରିୟ

91

କନକ ବ୍ୟୁରୋ: ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୪୦ହଜାର ୭୨୦ରେ ପହଂଚିଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର ପରେ ପ୍ରଥମ ବୋଲି କୁହାଯାଉଛି । ଯଦିଓ ମଙ୍ଗଳବାର ଏହି ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟାରେ ୫୬ ହଜାର ୨୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୨୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେବେ ଗତବର୍ଷ ଏହି ସମୟରେ କରୋନାର ପ୍ରଥମ ଲହର ଅପେକ୍ଷା ଚଳିତବର୍ଷ ଦେଖା ଦେଇଥିବା ଦ୍ୱିତୀୟ ଲହର ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଦେଉଛି ।

ଦେଶରେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଦେଶରେ କରୋନାର ପ୍ରଥମ ଲହର ଓ ଦ୍ୱିତୀୟ ଲହର ମଧ୍ୟରେ ଏକ ତୁଳନା ଉପରେ ନଜର ପକାନ୍ତୁ । ଗତବର୍ଷ ସେପ୍ଟେମ୍ବର ଅକ୍ଟୋବର ବେଳକୁ କରୋନାର ଦୈନିକ ସଂକ୍ରମଣ ୧୮ ହଜାରରୁ ୫୦ ହଜାରରେ ପହଂଚିବା ପାଇଁ ୩୨ ଦିନ ଲାଗିଥିବାବେଳେ ଚଳିତବର୍ଷ ମାର୍ଚ୍ଚରେ ଏଥିପାଇଁ ୧୭ ଦିନ ସମୟ ଲାଗିଛି । ମାର୍ଚ୍ଚ ୧୧ରେ ଦେଶରେ ୨୪ ଘଂଟାରେ ୧୮ ହଜାର ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୨୭ ତାରିଖରେ ୫୦ ହଜାର ୫୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମହାରାଷ୍ଟ୍ରରେ ଗତବର୍ଷ ୧୧ ହଜାରରୁ ୨୧ ହଜାରରେ ଦୈନିକ ସଂକ୍ରମଣ ପହଂଚିବା ଲାଗି ୩୧ ଦିନ ସମୟ ଲାଗିଥିଲା । ଏବେ କିନ୍ତୁ ମହାରାଷ୍ଟ୍ରରେ ଏହି ସଂଖ୍ୟା ପହଂଚିବା ପାଇଁ ୧୧ ଦିନରେ ସମୟ ଲାଗିଛି । ମହାରାଷ୍ଟ୍ରରେ ମାର୍ଚ୍ଚ ୦୮ରେ ୧୧ ହଜାର ୧୪୧ନୂଆ ମାମଲା ଆସିଥିବା ବେଳେ ମାର୍ଚ୍ଚ ୧୮ତାରିଖରେ ଗୋଟିଏ ଦିନରେ ଏହି ସଂକ୍ରମଣ ୨୩ ହଜାର ୧୭୯ରେ ପହଂଚିଥିଲା ।

ଦେଶରେ ବଢୁଥିବା ସଂକ୍ରମଣ ଭିତରେ ୫ଟି ରାଜ୍ୟରୁ ୮୦.୧୭% ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରୁ ୬୨.୭୦%, କର୍ଣ୍ଣାଟକରୁ ୪.୪୨% ପ୍ରତିଶତ, ପଞ୍ଜାବରୁ ୪.୫୮%, କେରଳରୁ ୪.୭୭% ଓ ଛତିଶଗଡରୁ ୩.୬୯% ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶର ଅନ୍ୟାନ୍ୟ ଭାଗରୁ ୧୯.୮୪% ପ୍ରତିଶତ ମାମଲା ସାମ୍ନାକୁ ଆସିଛି ।

ଏବେ ନଜର ପକାଇବା ପ୍ରତି ୧ ଲକ୍ଷ ସଂକ୍ରମଣ ଟପିବାକୁ କେତେଦିନ ଲାଗୁଛି? ସଂକ୍ରମଣର ପ୍ରଥମ ଲହର ବେଳେ ୨ରୁ ୩ ଲକ୍ଷ ସଂକ୍ରମିତ ହେବା ପାଇଁ ୧୫ ଦିନ ସମୟ ଲାଗିଥିବା ବେଳେ ୩ରୁ ୪ ଲକ୍ଷ ସଂକ୍ରମଣ ପାଇଁ ୮ ଦିନ ସମୟ ଲାଗିଥିଲା । ଏବଂ ୪ରୁ ୫ ଲକ୍ଷ ସଂକ୍ରମିତ ପାଇଁ ଲାଗିଥିଲା ୮ ଦିନ । ସେହିପରି ଯଦି ଦ୍ୱିତୀୟ ଲହର ସଂକ୍ରମଣ ଉପରେ ନଜର ପକାଇବା ତେବେ ୨ରୁ ୩ ଲକ୍ଷ ସଂକ୍ରମିତ ବଢିବା ପାଇଁ ୮ ଦିନ ଲାଗିଥିବା ବେଳେ ୩ରୁ ୪ ଲକ୍ଷ ସଂକ୍ରମଣ ବଢିବା ପାଇଁ ୫ ଦିନ ଲାଗିଥିଲା । ସେହିପରି ୪ରୁ ୫ ଲକ୍ଷ ସଂକ୍ରମିତ ହେବା ପାଇଁ ୪ ଦିନ ସମୟ ଲାଗିଥିଲା ।