ପୁଣି ୫୮ ପଇସା ମହଙ୍ଗା ହେଲା ପେଟ୍ରୋଲ । କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ପାର, ଜାଣନ୍ତୁ ଭୁବନେଶ୍ୱର-କଟକରେ କେତେ?

158

କନକ ବ୍ୟୁରୋ : ତେଲ ଦରରେ ବ୍ରେକ୍ ଲାଗୁନି । ଦିନକୁ ଦିନ ବଢୁଛି ପେଟ୍ରୋଲ ଡିଜେଲ ଦର । ଗତ ଦୁଇଦିନ ଧରି ତୈଳ ଦର ସ୍ଥିର ରହିବା ପରେ ଆଜି ପୁଣି ବଢିଲା ତୈଳ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ସେହିଭଳି ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୨ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୯୦ ପଇସା  । ସେହିଭଳି କଟକରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା

ଏହାରି ମଧ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦ ଟଙ୍କା ଟପିଗଲାଣି । ଯାହା ଗରିବ ଏବଂ ମଧ୍ୟବିତ ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପକାଉଛି । ଗତ କିଛିଦିନ ତଳେ ଡିଜେଲ ଦର ବୃଦ୍ଧି କାରଣରୁ ବସ୍ ଭଡାକୁ ବୃଦ୍ଧି କରାଯାଇଥିଲା । ଯଦି ଏହିଭଳି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ତେବେ ପୁଣି ବସ ଭଡା ବଢିବ । କମ୍ ଟଙ୍କା ରୋଜଗାର କରୁଥିବା ସାଧାରଣ ଲୋକେ ଯେଉଁମାନେ ବସରେ ଜାତାୟତ କରୁଛନ୍ତି, ସେମାନଙ୍କ ଉପରେ ବଡ ପ୍ରଭାବ ପଡିବ ନିଶ୍ଚୟ

ତେଲ ଦର ବଢିବା ଦ୍ୱାରା ଟ୍ରାନ୍ସପୋର୍ଟିଂ ଚାର୍ଜ ବଢୁଛି । ଯାହାଫଳରେ ଅନ୍ୟାନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ପରିବା ମାର୍କେଟରେ ୬୦ କିମ୍ବା ୭୦ ଟଙ୍କା ତଳକୁ କୌଣସି ପରିବା ମିଳୁ ନାହିଁ । ଯେଉଁଠାରେ ୫ଶହ ଟଙ୍କାର ପରିବା କିଣିଲେ ଦୁଇ କିମ୍ବା ୩ଟି ବ୍ୟାଗ୍ ପୁରିଯାଉଥିଲା । ଏବେ ୫ଶହ ଟଙ୍କାରେ ଅଧ ବ୍ୟାଗ୍ ବି ହେଉନାହିଁ । ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଲୋକେ । ତେଣୁ ଏହି ଦର ବୃଦ୍ଧି ଉପରେ ସରକାରଙ୍କୁ ନଜର ଦେବା ନିହାତି ଆବଶ୍ୟକ ହୋଇପଡିଛି ।

ସେପଟେ ସାଧାରଣ ଲୋକଙ୍କୁ ପଚାରିବାରୁ ସେମାନେ ପ୍ରତିକ୍ରିୟାରେ କହୁଛନ୍ତି । ଏହି ସରକାରଙ୍କୁ ଭୋଟ ଦେଇ ଆମେ ବହୁତ ବଡ ଭୁଲ କରିଦେଇଛୁ । ନିର୍ବାଚନ ସମୟ ଆସିଲେ ସବୁ ଦରଦାମ୍ କମୁଛି । କିନ୍ତୁ ନିର୍ବାଚନ ସରିଗଲେ ପୁଣି ଦୁଇଗୁଣା ବଢିଯାଉଛି ଦରଦାମ୍ ।