ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ: ଶିଶୁ ଓ ସ୍କୁଲ ପିଲାବି ହେଉଛନ୍ତି ସଂକ୍ରମିତ

232

କନକ ବ୍ୟୁରୋ: ଦେଶରେ ପୁଣି ବଢ଼ୁଛି କରୋନା ଆତଙ୍କ । ଦ୍ରୁତଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବଢ଼ିବା ସହ ଫେରୁଛି କଟକଣା । ଉତରପ୍ରଦେଶର ଲକ୍ଷ୍ନୌ ସମେତ ୭ ଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ବି କରୋନା କଟକଣା ଲାଗୁ କରାଯାଇଛି । ତେବେ ତୃତୀୟ ଲହର ପରେ ଏବେ ଚତୁର୍ଥ ଲହର ଆସିବ କି ଏନେଇ ଚିନ୍ତା ଦେଖାଦେଇଛି ।

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ଛୋଟ ଛୋଟ ଶିଶୁମାନେ ଅଧିକ ସଂଖ୍ୟକ ସଂକ୍ରମିତ ହେଉଛନ୍ତି । ବିଶେଷ କରି ଦିଲ୍ଲୀର ଏନସିଆର ଅଂଚଳରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୫ଶହ ଉପରେ ରହିଛି । ସେପଟେ ସଂକ୍ରମଣ ବୃଦ୍ଧି ଦେଖି ଉତରପ୍ରଦେଶରେ ଲଖ୍ନୌ ସମେତ ୭ଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ବୁଧବାର ଡ଼ିଡ଼ିଏମ ବୈଠକ ହୋଇପାରେ ଯେଉଁଥିରେ କରୋନା କଟକଣା ଉପରେ ଅନେକ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି । ଲକଡାଉନ୍ କଟକଣା ପୁଣି ଦେଶରେ ଫେରିପାରେ ବୋଲି ଆଶଙ୍କା କରାଯାଉଛି ।

ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ପୂର୍ବ ଅପେକ୍ଷା ଲୋକେ କଟକଣା ମାନୁ ନଥିଲେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଚିନ୍ତା ସୃଷ୍ଟି କରିଛି । ଦେଶରେ ଗତ ୨୪ ଘଂଟାରେ ୧,୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୨ ହଜାର ୧୮୩ ପଜିଟିଭ୍ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସକ୍ରିୟ ରୋଗୀ ସଂଖ୍ୟା ୧୧,୮୬୦ରେ ପହଂଚିଛି ।

କରୋନାର ତୃତୀୟ ଲହର ପରେ ଚତୁର୍ଥ ଲହରକୁ ନେଇ ଚିନ୍ତାରେ ଦେଶବାସୀ । ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବା ନେଇ ଅନେକ ସ୍ଥାନରେ କଟକଣା ଫେରିବାକୁ ଲାଗିଛି । ଏହାରି ଭିତରେ ଭୟବୀତ ନ ହୋଇ କଟକଣା ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ।