ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବାରଣ ସତ୍ୱେ ବାହାଘର ଭୋଜିର ଆୟୋଜନ; ପାଳ ଗଦାରେ ଲୁଚାଇ ରଖିଲେ ଭୋଜି ଖାଦ୍ୟ

312

କନକ ବ୍ୟୁରୋ : ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ । ବାରମ୍ବାର ବାରଣ ସତ୍ୱେ ଆୟୋଜନ କରୁଛନ୍ତି ବାହାଘର ଭୋଜି । ପାଲିସ ଭୟରେ ପାଳ ଗଦାରେ ଲୁଚାଇ ରଖିଥିଲେ ଭୋଜି ଖାଦ୍ୟ । ଖବର ପାଇ ପହଂଚିଗଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ପୋଲିସ । ଖଲ୍ଲିକୋଟ ବ୍ଲକ ଚିକିଲି ପଂଚାୟତର ଗୋପପୁର ଗ୍ରାମରେ କବି ଦାସଙ୍କ ପୁଅ ରଜନି ଦାସଙ୍କ ବିବାହ ହୋଇଥିଲା । ସାହି ଭାଇଙ୍କୁ ଖାଇବାକୁ ଦେବା ପାଇଁ ପ୍ରାୟ ୫ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ପରିବାର ଲୋକ ।

ତେବେ ଭୋଜି, ରାତିରେ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ପାଳ ଗଦାରେ ଲୁଚାଇ ଦିଆଯାଇଥିଲା । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ପହଂଚି ଭୋଜିକୁ ଜବତ କରିଥିଲେ । କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଆୟୋଜକଙ୍କ ଠାରୁ ୫ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ ତହସିଲଦାର । ରନ୍ଧା ଯାଇଥିବା ଖାଦ୍ୟକୁ ଜବତ କରିବ ସହ ଗରିବ ଲୋକଙ୍କ ମଧ୍ୟରେ ବାଂଟିବାକୁ ଗାଁ ମୁଖିଆକୁ ନିର୍ଦ୍ଦେଶ ଦେଇଥିଲେ ତହସିଲଦାର ।

ସେପଟେ ବେଗୁନିଆପଡାରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳିଛି । ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ବଧି ସାହିରେ ଦୁଃଖିଶ୍ୟାମ ସ୍ୱାଇଁଙ୍କ ପୁଅ ବାହାଘର ଭୋଜି ଆୟୋଜନ ବେଳେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଚଢାଉ କରି ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କୁ ଠାରୁ ୮ ହଜାର ଟଙ୍କା ଫାଇନ ଆଦାୟ କରିଛନ୍ତି ।

ଗାଁ ଗହଳିରେ ପ୍ରସାଶନର ଅଜାଣତରେ ଅନେକ ଭୋଜି ଭାତ ହେଉଥବା ଦେଖିବାକୁ ମିଳୁଛି । ସରକାରଙ୍କ କୋଭିଡ ନିୟମକୁ ବେଖାତିର କରି ଗାଁ ଗାଁରେ ପ୍ରତିଦିନ ଭୋଜିର ଆୟୋଜନ ହେଉଥିବାରୁ ପ୍ରସାଶନର ଚିନ୍ତା ବଢାଇଛି । ଏହା ପୂର୍ବରୁ ଗତ ଶନିବାର ଖଲ୍ଲିକୋଟ ଆମ୍ବଝର ନୂଆପଲ୍ଲିରେ ୨ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ବିବାହ ଭୋଜିକୁ ପ୍ରସାଶନ ଜବତ କରି ନଷ୍ଟ କରିଦେଇଥିଲା । ସେହିପରି ମଙ୍ଗଳବାର ବିକ୍ରମପୁର ଗ୍ରାମରେ ପ୍ରସାଶନ ବାବାହ ଭୋଜି ଖାଦ୍ୟକୁ ଜବତ କରି ଗରିବ ଲୋକଙ୍କ ଭିତରେ ବାଂଟି ଦେଇଥିଲା ।