ପୁଣି ବିବାଦରେ ଭଁସାଲିଙ୍କ ଫିଲ୍ମ: ପାକିସ୍ତାନରେ ବିରୋଧ

160

କନକ ବ୍ୟୁରୋ: ପୁଣି ବିବାଦରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ସଂଜୟ ଲିଲା ଭଁସାଲି ଙ୍କ ଆଗାମୀ ଫିଲ୍ମ । ଭଁସାଲି ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ହୀରା ମଣ୍ଡି’ର ସୁଟିଂରେ ଏବେ ବ୍ୟସ୍ତ । ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ ଥିବା ରେଡଲାଇଟ୍ ଏରିଆ ହେଉଛି ‘ହୀରାମଣ୍ଡି’ । ସିନେମାରେ ପାକିସ୍ତାନି ଗଣିକାଙ୍କ ଜୀବନ ଶୈଳୀ ଓ ସେମାନଙ୍କର ଚିତ୍ର ସ୍ଥାନିତ କରାଯାଇଛି, ଯାହାକୁ ନେଇ କ୍ରୋଧିତ ହୋଇଛନ୍ତି ପାକିସ୍ତାନ ବାସିନ୍ଦା ।ସାଧାରଣତଃ ହୀରା ମଣ୍ଡି କହିଲେ ମାର୍କେଟକୁ ବୁଝାଉଥିବାବେଳେ ଲାହୋରର ହୀରା ମଣ୍ଡି କିନ୍ତୁ ଭିନ୍ନ । ଏହା ହେଉଛି ପାକିସ୍ତାନି ଗଣିକାଙ୍କ ପେଣ୍ଠସ୍ଥଳି । ଶିଖ୍ ସମ୍ରାଟ ରଣଜିତ ସିଂହଙ୍କ ମନ୍ତ୍ରୀ ହିରା ସିଂହଙ୍କ ନାମରେ ଏହି ସ୍ଥାନର ନାମକରଣ କରାଯାଇଥିବା କିଛି ଐତିହାସିକ କହୁଥିବାବେଳେ ଦେହଜୀବୀଙ୍କ ଲାଗି ଏହି ସ୍ଥାନର ନାଁ ଏପରି ହୋଇଥିବା ଅନ୍ୟ ପାକିସ୍ତାନି ମତ ଦିଅନ୍ତି । ଲାହୋର ଦୁର୍ଗ ନିକଟରେ ଏହି ଜାଗା ଥିବାରୁ ଏହାକୁ ଶାହି ମହୋଲ୍ଲା ବୋଲି ମଧ୍ୟ କୁହାଯାଏ । 

ତଥ୍ୟ ଅନୁସାରେ ରାଜା ରଣଜିତ ସିଂହଙ୍କ ରାଜତ୍ୱ ସମୟରେ ମନ୍ତ୍ରୀ ହୀରା ସିଂହ ଲାହୋରର ଏହି ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ ଏକ ବ୍ୟବସାୟିକ ହାଟ,ଯାହାର ନାଁ ରଖାଯାଇଥିଲା ହୀରା ମଣ୍ଡି । ପରେ ଏଠାକୁ ବିଭିନ୍ନ ସ୍ଥାନରେ ଦେହଜୀବୀ ମାନେ ଆସି ରହିବାକୁ ଲାଗିଲେ । ସେମାନଙ୍କର ଉନ୍ନତି ଲାଗି ରାଜା ରଣଜିତ ସିଂହ ବିଭି୍ନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ପଞ୍ଚଦଶ ଓ ଷୋଡଶ ଶତାବ୍ଦି ବେଳକୁ ଦେହଜୀବୀ ବ୍ୟବସାୟ ଏଠିକାର ସଂସ୍କୃତିର ଏକ ଅଂଶ ପାଲଟିଗଲା ।  

ପ୍ରକୃତରେ ହୀରାମଣ୍ଡି ଥିଲା ନୃତ୍ୟ ସଙ୍ଗୀତର ଏକ ପ୍ରମୁଖ ସ୍ଥଳୀ । ମୋଗଲ ଶାସନ କାଳରେ ଆଫଗାନିସ୍ତାନ, ଉଜବେକିସ୍ତାନ ପରି ଅନେକ ସ୍ଥାନରୁ ନୃତ୍ୟ ସଙ୍ଗୀତରେ ନିପୂଣ ମହିଳାଙ୍କୁ ଅଣାଯାଉଥିଲା । ଉଚ୍ଚ ଶ୍ରେଣୀର ଲୋକେ ସେମାନଙ୍କୁ ସମ୍ମାନ ଦେଉଥିଲେ । ହେଲେ ମୋଗଲ ଶାସନ ଦୁର୍ବଳ ହେବା ପରେ ଏହି ଇଲାକାକୁ ଅକ୍ତିଆର କରିନେଇଥିଲେ ବିଦେଶୀ ଶାସକ । ଆଫଗାନ ଶାସକ ଏଠାରେ ରହୁଥିବା ମହିଳାଙ୍କ ନୃତ୍ୟ ସଙ୍ଗୀତ ବୃତ୍ତି ଉଜାଡି ଦେଲେ । ଫଳରେ ସେମାନେ ମନୋରଂଜନ ବୃତ୍ତିରୁ ଦୂରେଇ ଯିବାକୁ ବାଧ୍ୟ ହେଲେ ଏବଂ ପରବର୍ତ୍ତୀ ସମୟରେ ପେଟପାଟଣା ପାଇଁ ବାଧ୍ୟ ହୋଇ ଦେହଜୀବୀ ବୃତ୍ତିକୁ ଆପଣାଇଲେ । କ୍ରମେ ଏହି ସ୍ଥାନ ଦେହଜୀବୀଙ୍କ ଗଡ ପାଲଟିଗଲା । 

ବ୍ରିିଟିଶ୍ କାଳରେ ମଧ୍ୟ ଏହି ଜାଗାର କଳେବର ବଦଳାଇବାକୁ ଚେଷ୍ଟା ହୋଇଥିଲା ହେଲେ ଫଳ କିଛି ହୋଇନଥିଲା । ତଳ ମହଲା ଗୁଡିକରେ ସୁସ୍ୱାଦୁ ଖାଦ୍ୟର ପସରା, ଜରୁରୀ ସାମଗ୍ରୀ, ସହ ବାଦ୍ୟଯନ୍ତ୍ର ସବୁ ବିକ୍ରି ହେଉଥିବାବେଳେ ଉପର ମହଲା ଗୁଡିକରେ ଚାଲେ ଦେହ ବ୍ୟବସାୟ । ତେବେ ଭଁସାଲିଙ୍କ ଫିଲ୍ମ ‘ହୀରା ମଣ୍ଡି’ ପୂର୍ବରୁ ଏହି ବିଷୟ ବସ୍ତୁକୁ ନେଇ ଅଭିଶେକ ବର୍ମନ ‘କଲଙ୍କ’ ନାମକ ଫିଲ୍ମ ପ୍ରସ୍ତୁତ କରିସାରିଛନ୍ତି ।