ଆଉ ଥରେ ହେବ ବିମୁଦ୍ରାକରଣ!

28

କନକ ବ୍ୟୁରୋ : ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରିବାରୁ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯାଇଥିଲା । ଏକଥା ଲୋକମାନଙ୍କ ମନରୁ ଲିଭି ନଥିବା ବେଳେ ସରକାର ବିମୁଦ୍ରାକରଣର ଆଉ ଏକ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଥିବା ସଙ୍କେତ ମିଳିଛି । ଦୁଇ ହଜାର ଟଙ୍କିଆ ନୋଟ୍‌ ଛପାଇବା ବନ୍ଦ କରାଯିବ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏକଥା ଏବେ ସଂସଦରେ ପହଞ୍ଚିଯାଇଛି । ଦୁଇ ହଜାର ଟଙ୍କିଆ ନୋଟ୍‌କୁ ସରକାର ଅଚଳ ଘୋଷଣା କରିପାରନ୍ତି ।

ପ୍ରଥମେ ୨୦୦ ଟଙ୍କିଆ ନୋଟ୍‌କୁ ବଜାରକୁ ଅଣାଯିବ । ବଜାରରେ ଅଧିକ ପରିମାଣର ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ରହିବା ପରେ ୨୦୦୦ ଟଙ୍କିଆକୁ ଅଚଳ ଘୋଷଣା କରାଯାଇପାରେ । ଏଭଳି ପରିସ୍ଥିତିରେ ୨୦୦୦ ଟଙ୍କିଆକୁ ଅଚଳ ଘୋଷଣା କଲେ ସାଧାରଣ ଜନତା ହଇରାଣ ହେବେ ନାହିଁ । କାରଣ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ଯଥେଷ୍ଟ । ଏଭଳି ଯୋଜନା ସରକାର ରଖିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସରକାର ଏହାକୁ ଅସ୍ୱୀକାର କରୁନାହାନ୍ତି କିମ୍ବା ଅମୂଳକ ବୋଲି ମଧ୍ୟ କହୁନାହାନ୍ତି । ସରକାର କେବଳ ଚୁପ୍‌ ରହିବାକୁ ପସନ୍ଦ କରିଛନ୍ତି ।

ଆଜି ରାଜ୍ୟସଭାରେ ବିରୋଧୀ ଦଳ ସଦସ୍ୟମାନେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ପ୍ରଶ୍ନ କରିଛନ୍ତି ଯେ ସତରେ କ’ଣ ୨୦୦୦ ଟଙ୍କିଆ ନୋଟ୍‌କୁ ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ? କିନ୍ତୁ ଜେଟ୍‌ଲି ଏହାର କୌଣସି ଉତ୍ତର ଦେଇନାହାନ୍ତି । ବିରୋଧୀ ଦଳ ସଦସ୍ୟମାନେ ସ୍ପଷ୍ଟୀକରଣ ପାଇଁ ଯେତେ ଦାବି କଲେ ମଧ୍ୟ ଜେଟ୍‌ଲି ତାହାକୁ କର୍ଣ୍ଣପାତ କରିନାହାନ୍ତି। ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌, ଏସ୍‌ପିର ନରେଶ ଅଗ୍ରଓ୍ଵାଲ୍‌, ଡିଏମ୍‌କେର ତିରୁଚି ଶିବ ଏବଂ ଜେଡିୟୁର ଶରଦ ଯାଦବ ଏ ସମ୍ପର୍କରେ ଜେଟ୍‌ଲିଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।

କିଛି ଦିନ ହେଲାଣି ବଜାରରେ ଦୁଇ ହଜାର ଟଙ୍କିଆ ନୋଟ୍‌ର ଘୋର ଅଭାବ ଦେଖାଦେଇଛି । ବଡ଼ ନୋଟ୍‌କୁ କଳାଧନ ଆକାରରେ ଗଚ୍ଛିତ ରଖିବା ସହଜ ହୋଇଥିବାରୁ ଲୋକମାନେ ତାହାକୁ ଗଚ୍ଛିତ କରୁଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । କାରଣ ଛୋଟ ନୋଟ୍‌ଗୁଡ଼ିକୁ କଳାଧନ ଭାବେ ରଖିବାକୁ ହେଲେ ଅଧିକ ସ୍ଥାନ ଦରକାର । ସେଥିପାଇଁ କଳାଧନ ଜମାକାରୀଙ୍କ ପସନ୍ଦ ହେଉଛି ବଡ଼ ନୋଟ୍‌। ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟ୍‌ ବେଶ ଅଡ଼ୁଆ ସୃଷ୍ଟି କରୁଛି । ତାହାକୁ ଖୁଚୁରା କରିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି ।
ଏବେ ଦୁଇ ହଜାର ଟଙ୍କିଆ ନୋଟ୍‌ ଯୋଗାଣ ବହୁତ କମିଯାଇଛି । ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ହେବା ପରେ ଅଚଳ ନୋଟ୍‌ ପ୍ରତ୍ୟାହାର ଯୋଗୁଁ ଯେଉଁ ଫାଙ୍କା ସ୍ଥାନ ସୃଷ୍ଟି ହୋଇଥିଲା ତାହାକୁ ପୂରଣ କରିବା ପାଇଁ ବିପୁଳ ପରିମାଣର ଦୁଇ ହଜାର ଟଙ୍କିଆ ନୋଟ୍‌ ଛପା ଯାଇଥିଲା । ମାତ୍ର ତରବରିଆ ଭାବେ ଏତେ ମାତ୍ରାରେ ଦୁଇ ହଜାର ଟଙ୍କିଆ ନୋଟ୍‌ ଛପା ହୋଇଗଲା ଯାହାକୁ ନେଇ ଆର୍‌ବିଆଇ ସହଜ ମନେ କରୁନାହିଁ । ତେଣୁ ୨୦୦୦ ଟଙ୍କିଆ ନୋଟ୍‌ ପରିମାଣ କମିଯାଉ ବୋଲି ଆର୍‌ବିଆଇ ଚାହୁଁଛି । ସେଥିପାଇଁ ଏବେ ୨୦୦ ଟଙ୍କିଆ ନୋଟ୍‌ ଅଧିକ ଛପାଇବା ଉପରେ ଆର୍‌ବିଆଇ ଜୋର ଦେଉଛି ବୋଲି ଆଲୋଚନା ହେଉଛି । ଯଦିଓ ଆର୍‌ବିଆଇ କିମ୍ବା ସରକାର କେହି ଏ ପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଯେ ଦୁଇ ଶହ ଟଙ୍କିଆ ନୋଟ୍‌ ବଜାରକୁ ଆସିବ ।

ଜାପାନର ଅଟୋମୋବାଇଲ୍‌ କଂପାନି ନିସାନ୍‌ ପକ୍ଷରୁ ଡାଟସନ୍‌ ରେଡି-ଗୋର ନୂଆ ମଡେଲ୍‌କୁ ଉନ୍ମୋଚନ କରାଯାଇଛି । ଏଥିରେ ଏକ ଲିଟର ଇଞ୍ଜିନ ବ୍ୟବହାର କରାଯାଇଛି । ନୂଆଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୩ ଲକ୍ଷ ୫୭ ହଜାର ଟଙ୍କା ରହିଛି । ଏହାର ମାଇଲେଜ୍‌ ହେଉଛି ଲିଟର ପିଛା ୨୨.୫ କିଲୋମିଟର । ନିସାନ୍‌ ମୋଟର ଇଣ୍ଡିଆର ପରିଚାଳନା ନିର୍ଦେଶକ ଅରୁଣ ମଲ୍‌ହୋତ୍ରା ଏହାକୁ ଉନ୍ମୋଚନ କରିଛନ୍ତି । କଂପାନି ୨୦୧୪ରେ ଡାଟସନ୍‌ ଗୋ ଉନ୍ମୋଚନ କରିଥିଲା । ଗତବର୍ଷ ଡାଟସନ୍‌ ରେଡି-ଗୋ ଉନ୍ମୋଚନ କରାଯାଇଥିଲା ।