ସତ ଧରାଇଲା ସାଟେଲାଇଟ ଚିତ୍ର  । ପୁଣି ଅରୁଣାଚଳ ପ୍ରଦେଶରେ ପଶିଲା ଚୀନ, ସାଢେ ୪ କିମି ଅଞ୍ଚଳରେ ଗଢିସାରିଛି ଗାଁ 

ଅରୁଣାଚଳ ସୀମାରେ ଏକ ଗାଁ ତିଆରି କରିସାରିଛି ଚୀନ

450
କନକ ବ୍ୟୁରୋ : ଚୀନର ସତ ଧରାଇଦେଲା ସାଟେଲାଇଟ୍ । ଅରୁଣାଚଳ ସୀମାରେ ଏକ ଗାଁ ତିଆରି କରିସାରିଛି ଚୀନ । ଏହି ଗାଁରେ ରହିଛି ୧୦୧ ଘର । ଏହା ଭାରତର ଅଂଶ ହୋଇଥିଲେ ସୁଦ୍ଧା, ସରକାରୀ ମାନଚିତ୍ର ଅନୁସାରେ ୧୯୫୯ରୁ ଏହି ଅଞ୍ଚଳ ଉପରେ ଚୀନ ଦବଦବା ଦେଖାଇ ଆସୁଛି । ହେଲେ ଚିନ୍ତାର ବିଷୟ ହେଲା ପୂର୍ବରୁ ଏଠାରେ କେବଳ ଚୀନର ଏକ ସେନା ଶିବିର ରହିଥିଲା । କିନ୍ତୁ ଗତବର୍ଷ ନଭେମ୍ବର ସୁଦ୍ଧା ଏଠାରେ ଏକ ବିରାଟ ଗାଁ ଗଢିସାରିଛି ଚୀନ ।
ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିବା ଏହି ସାଟେଲାଇଟ ଚିତ୍ର ଗତବର୍ଷ ନଭେମ୍ବର ୧ ତାରିଖରେ ନିଆଯାଇଛି । ଏହାର ବର୍ଷକ ପୂର୍ବରୁ ଅର୍ଥାତ ୨୦୧୯ ଅଗଷ୍ଟ ବେଳକୁ ସମାନ ସ୍ଥାନରେ କୌଣସି ନିର୍ମାଣ ଦେଖାଯାଉ ନଥିବାବେଳେ, ଗତବର୍ଷ ବେଳକୁ ଏଠାରେ ଏକ ଗାଁ ଗଢିଉଠିବା ଭାରତର ଚିନ୍ତା ବଢାଇ ଦେଇଛି । କାରଣ ଗତବର୍ଷ ହିଁ ଭାରତ ସୀମାରେ ଏହି ଗାଁ ପ୍ରତିଷ୍ଠା କରିଛି ଚୀନ । ପଡୋଶୀର ଏହି ଚାଲବାଜିକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରାଳୟ । ଭାରତ ତାର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ନେବ ବୋଲି କଡା ଶବ୍ଦରେ ଚେତାଇ ଦିଆଯାଇଛି । ଗତ କିଛିବର୍ଷ ହେଲା ସୀମାରେ ଚୀନ ତାର ନିର୍ମାଣ କାମକୁ ତ୍ୱରାନ୍ୱିତ କରିଥିବାବେଳେ, ଭାରତ ମଧ୍ୟ ସୀମାରେ ଭିତିଭୂମି ନିର୍ମାଣକୁ ଜୋରଦାର କରିଥିବା କୁହାଯାଇଛି ।