ପୋଲିସ ଉପସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି । ପ୍ରଚାର ବେଳେ ବିଜେପି ନେତାଙ୍କ ସହ ଧସ୍ତାଧସ୍ତି ଓ ମାରପିଟ୍ ।

159

କନକ ବ୍ୟୁରୋ : ପୁଣି ଥରେ ଦାଦାଗିରି ଦେଖାଇ ବିବାଦକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ପ୍ରଚାର ପାଇଁ ଯାଇଥିବାବେଳେ ଏକ ଅପ୍ରିତିକର ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଠି ଏକ ସାଂସ୍କୃତିକ ପରିଷଦର ଅଫିସକୁ ନିଜ କାର୍ଯ୍ୟାଳୟ କରିବା ପାଇଁ ଚେଷ୍ଟା କରିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୁଇ ପକ୍ଷ ମଧ୍ୟରେ ବେଶ କିଛି ସମୟ ପାଇଁ ତିକ୍ତତା ସୃଷ୍ଟି ହୋଇଥିଲା ।

ପୁଣି ବିବାଦରେ ପ୍ରଶାନ୍ତ ଜଗଦେବ । ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା । ପୁଲିସ ଉପସ୍ଥିତିରେ ଖୋଲା ଧମକ ଦେଇଥିବା ବ୍ୟକ୍ତି କୌଣସି ଗୁଣ୍ଡା ନୁହଁନ୍ତି, ସେ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ କରି ଜେଲ ଯାଇ, ବିଜେଡିରୁ ନିଲମ୍ବିତ ହୋଇଥିଲେ ମଧ୍ୟ ନିଜ ଆଚରଣରେ କୌଣସି ସୁଧାର ଆଣିନାହାନ୍ତି । ପଞ୍ଚାୟତ ପ୍ରଚାର ମୈଦାନରେ ଏଭଳି ଖୋଲା ଧମକ, ତାପୁଣି ପୁଲିସର ଉପସ୍ଥିତିରେ ସ୍ୱଚ୍ଛ ଆଉ ଅବାଧ ନିର୍ବାଚନ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ପୁରା ଘଟଣା ଥିଲା କିଛି ଏହିଭଳି । ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ପଲ୍ଲୀ ସଂସ୍କୃତିକଳା ପରିଷଦ ଗୃହରେ ବିଜେପି ପତାକା ରହିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉକ୍ତ ସ୍ଥାନରେ ପହଞ୍ଚି ତାକୁ ବିଜେଡି କାର୍ଯ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟ ବଚସା ହୋଇଥିଲା । କଥା ଧସ୍ତାଧସ୍ତି ଏବଂ ମାରପିଟ ପର୍ଯ୍ୟନ୍ତ ଯାଇଥିଲା । ଯାହା ଉକ୍ତସ୍ଥାନରେ ଗୋଷ୍ଠୀ ସଂଘର୍ଷ ଆଶଙ୍କା ସୃଷ୍ଟି କରିଥିଲା ।

ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି କିଛି ନୂଆ କଥା ନୁହେଁ । ସେ ବୋଲଗଡ ବିଧାୟକ ଥିବା ସମୟରେ ହେଉ ଅବା ଚିଲିକା ବିଧାୟକ ସମୟରେ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ପ୍ରତିପକ୍ଷ ସମସ୍ତେ ଆକ୍ରମଣ ଏବଂ ଅସଦ୍ ବ୍ୟବହାରର ଶିକାର ହୋଇଛନ୍ତି ।

ଉତ୍ତେଜନା ପରେ, ପରିଷଦ ଦାୟିତ୍ୱରେ ଥିବା ଦୁଷ୍ମନ୍ତ ହରିଚନ୍ଦନଙ୍କୁ ବେଶ କିଛି ସମୟ ପାଇଁ ଅଟକ ରଖିଥିଲେ ପ୍ରଶାନ୍ତ ଜଗଦେବ । ଖବର ପାଇ ଏସଡିପିଓ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ ଆଉ ପରିସ୍ଥିତିକୁ ସାମାନ୍ୟ କରିଥିଲେ । ଆସନ୍ତା ମାର୍ଚ୍ଚ ୫ ଯାଏଁ କେହି ମଧ୍ୟ ଏହି ଗୃହକୁ ପବେଶ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।