ବାଣୀବିହାର ବ୍ରିଜ ଉପରେ ଧରାପଡ଼ିଲେ, ୨୭ ହଜାର ଫାଇନ୍ ଗଣିଲେ ଅଟୋ ଚାଳକ ।

1,153

କନକ ବ୍ୟୁରୋ: ଅଟୋ ଚାଳକଙ୍କୁ ତ୍ରାହି ନାହିଁ । ଟ୍ରାଫିକ ନିୟମ ଭାଙ୍ଗି ପୁଣି ଫସିଲେ ଅଟୋ ଚାଳକ । ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍ । ଗତକାଲି ଅଟୋ ଡ୍ରାଇଭର ଉପରେ ୫୨ ହଜାର ଟଙ୍କାର ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଆଜି ଚଡ଼କ ପଡିଛି । ବାଣୀବିହାର ଫ୍ଲାଏ ଓଭର ଉପରେ ୫ଟି ନିୟମ ଉଂଲଘନ କରିଥିବା ଅଭିଯୋଗରେ ୨୭ ହଜାର ଟଙ୍କାର ଫାଇନ ପଡିଛି । ଅଟୋ ଡ୍ରାଇଭର ଜଣକ ହେଉଛନ୍ତି କବିନ୍ଦ୍ର ସାହୁ ।

ସୂଚନା ମୁତାବକ, ପଲ୍ୟୁସନ ସାଟିର୍ଫିକଟ ନଥିବାରୁ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ ନଥିବାରୁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର , ଇନସୁରାନ୍ସ ନଥିବାରୁ ୨ ହଜାର ଟଙ୍କାର ଫାଇନ ପଡିଛି । ସେପଟେ ନାଲକୋ ଛକ ନିକଟରେ ବିଏମସି ଗାଡି ଉପରେ ୧୫ ହଜାର ଟଙ୍କାର ଫାଇନ ପଡିଛି । ଗତକାଲି ଆଚାର୍ଯ୍ୟ ବିହାର ଛକରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କାର ଫାଇନ ଲାଗିଛି । ୫୨ ହଜାର ଟଙ୍କା ଦେଇନପାରିବାରୁ ଅଟୋଟିକୁ ଜବତ ମଧ୍ୟ କରାଯାଇଛି ।

ଜୋରଦାର ଚାଲିଛି ଟ୍ରାଫିକ ଧରପଗଡ଼ । ବିନା ହେଲମେଟରେ କି ଲାଇସେନ୍ସ ନଥିଲେ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଛି । ସେପଟେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, ଅଧିକ ଫାଇନ ଆଦାୟ କରିବା ତାଙ୍କ ଉଦେଶ୍ୟ ନୁହେଁ, କିନ୍ତୁ ଆଇନକୁ କାର୍ଯ୍ୟକାରୀ କରିବାକୁ ପଡିବ । ଲୋକଙ୍କୁ ଏବେ କଷ୍ଟ ଲାଗୁଛି । କିନ୍ତୁ ପରବର୍ତ ସମୟରେ ଜନସାଧାରଣ ସଚେତନ ହୋଇଯିବେ ବୋଲି ପୁଲିସ କମିସନର କହିଛନ୍ତି ।