କନକ ବ୍ୟୁରୋ: ତୁଟୁନି ଆନ୍ଧ୍ର- ଓଡ଼ିଶାର ସୀମା ବିବାଦ । ଓଡ଼ିଶା ସୀମାରେ ଆନ୍ଧ୍ର କେତେବେଳେ ରାସ୍ତାକୁ ନେଇ ତ କେତେବେଳେ ସୀମାକୁ ନେଇ ଜମି ହଡ଼ପ ଚଳାଇଥିବା ବେଳେ ବର୍ତମାନ ଆନ୍ଧ୍ର ଆଉ ଏକ ଅସ୍ତ୍ର ଆପଣାଇଛି । ତାହା ହେଲା ଜିପିଏସ ମାଧ୍ୟମରେ ଟଣା ଯାଇଥିବା ଆନ୍ଧ୍ର ପ୍ରଦେଶର ବନ ବିଭାଗର ଏକ ମ୍ୟାପ । ଯାହାକୁ ଆଧାର କରି କୋରାପୁଟ ପଟାଙ୍ଗି ବ୍ଳକର ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ସୁନାବେଡ଼ା ଗ୍ରାମର ୬୦୦ ମିଟର ଜାଗା ତାଙ୍କର ବୋଲି ସେ ଦାବି କରୁଛନ୍ତି ।
ଓଡ଼ିଶା ସୀମାରେ ଥିବା ଏକ ପଥରରେ ଖୋଳାଯାଇଥିବା ଗାତକୁ ଉଭୟ ପକ୍ଷର ସୀମା ବୋଲି ଦାବି କରୁଛି ଆନ୍ଧ୍ର । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତିି କୋରାପୁଟ ଜିଲ୍ଳାର ପୂର୍ବତନ ଜିଲ୍ଳାପାଳ । ଓଡ଼ିଶା ପାଖରେ ଯଥେଷ୍ଟ ପ୍ରମାଣ ରହିଛି ଆନ୍ଧ୍ରର ଉଚିତ୍ ଯବାବ ଦେବା ପାଇଁ । ଆନ୍ଧ୍ର ଦେଖାଉଥିବା ମ୍ୟାପ୍ ସହ ବ୍ରିଟିସ ଅମଳର ସୀମା ଚିହ୍ନଟର ମ୍ୟାପ୍ ମଧ୍ୟ ପାଖରେ ରହିଛି, ସେଥିରେ ସ୍ୱଷ୍ଟ ହୋଇଯିବ ଜମି କାହାର । ଆନ୍ଧ୍ର ଠାରୁ ତେଲେଙ୍ଗାନା ଅଲଗା ହୋଇଯିବା ପରେ ଆନ୍ଧ୍ର ସଙ୍କୁଚିତ ହୋଇଯାଇଛି ଯେଉଁଥି ପାଇଁ ଓଡ଼ିଶା ଜମି ଉପରେ ଆନ୍ଧ୍ର ନଜର ପକାଇଛି ବୋଲିି ଜିଲ୍ଲାପାଳ କହିଛନ୍ତି । ଏପଟେ ଘଟଣାକୁ ହାଲୁକା ଭାବେ ନେଇଛନ୍ତି ରାଜସ୍ୱ ମନ୍ତ୍ରୀ ଆଉ କହିଛନ୍ତି ସଚେତନ ଅଛନ୍ତି ସରକାର ।