ଯୁକ୍ତଦୁଇ ଖାଲିଥିବା ସିଟ୍‌ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା । ଆଜିଠାରୁ ୨୨ ପର୍ଯ୍ୟନ୍ତ ଆବେଦନ

60

କନକ ବ୍ୟୁରୋ : ଯୁକ୍ତ୨ରେ ଖାଲିଥିବା ସିଟ୍‌ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧୧ଟା ୩୦ରୁ ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୪ ତାରିଖ ଅପରାହ୍ନ ୩ଟାରେ ମେଧା ତାଲିକା ସହ ଅପେକ୍ଷା(ୱେଟିଂ) ଲିଷ୍ଟ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ ।

୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ୨୬ ତାରିଖ ଅପରାହ୍ନ ୪ଟା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ୨୬ ତାରିଖ ଅପରାହ୍ନ ୪ଟା ୧୫ରୁ ୨୭ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ । ୨୭ ତାରିଖ ଅପରାହ୍ନ ୪ଟାରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ ।

ଛାତ୍ରଛାତ୍ରୀ ସାମ୍‌ସ ୱେବ୍‌ସାଇଟ୍‌ ଓ ସଂଯୋଗ ସହାୟତା ନମ୍ବରରେ ଯୋଗାଯୋଗ କରି ସବିଶେଷ ତଥ୍ୟ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହ ନିର୍ଦେଶାଳୟ ପକ୍ଷରୁ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ଏହି ପର୍ଯ୍ୟାୟ ନାମଲେଖାରେ କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରି ସିଟ୍‌ ପାଇ ନ ଥିବା ଛାତ୍ରଛାତ୍ରୀ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଫି’ ଦାଖଲ ନ କରି ପୂର୍ବରୁ ଥିବା ଲଗ୍‌ଇନ୍‌ ମାଧ୍ୟମରେ ଆବେଦନ କରିପାରିବେ ।

ଏହି ପର୍ଯ୍ୟାୟରେ ସିଏଏଫ୍‌ରେ ତ୍ରୁଟି ସଂଶୋଧନ ଲାଗି ପ୍ରାର୍ଥୀଙ୍କୁ କୌଣସି ପ୍ରକାର ସୁଯୋଗ ମିଳିବ ନାହିଁ । ସିଏଏଫ୍‌ରେ ଭୁଲ୍‌ ଥିଲେ ତାହାକୁ ବାତିଲ୍‌ କରି ଦିଆଯିବ । ନାମଲେଖା ସମୟରେ ଛାତ୍ରଛାତ୍ରୀ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯୁକ୍ତ୨ କଲେଜରେ ଦାଖଲ କରିବେ । ଯେଉଁମାନେ ନୂଆ କରି ଆବେଦନ କରିବାକୁ ଚାହୁଛନ୍ତି ସେମା‌ନେ ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଆଇଡି ଦେଇ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ବୋଲି ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି ।