ପୋଲ ନଥିବାରୁ ତାରରେ ଝୁଲା ପୋଲ କରିଥିଲେ ଗାଁ ଲୋକେ । ବିପଦ ଥିବାରୁ ତାର କାଢ଼ି ଦେଇ ଚୁପ୍ ପ୍ରଶାସନ । ଏବେ କେମିତି ଯାଆସ କରିବେ ଚିନ୍ତାରେ ଗ୍ରାମବାସୀ…

135

କନକ ବ୍ୟୁରୋ: କିଛି ଦିନ ତଳେ ଖବରରେ ଚର୍ଚାର କେନ୍ଦ୍ର ପାଲଟିଥିଲା କନ୍ଧମାଳ ଜିଲ୍ଲାର ବିରିନ୍ଦାପଡା ଗାଁ ଅଂଚଳ । ଏକ ଝୁଲା ତାରରେ ଲୋକେ କାଳିପେନୁ ନଦୀ ପାର ହେବାର ଚିତ୍ର ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଥିଲା । ପ୍ରଶାସନ ପାଖରେ ବାରମ୍ବାର ପୋଲି ପାଇଁ ଦାବି କରି ନିରାଶ ହୋଇ ଲୋକେ ନିଜ ପାଇଁ ତାରରେ ନିର୍ମାଣ କରିଥିଲେ ଝୁଲା ପୋଲ । ପ୍ରତି ମୂହୁର୍ତ୍ତରେ କାଳିପେନୁ ନଦୀ ଦେଇ ବିପଦପୁର୍ଣ୍ଣ ଯାତ୍ରା କରୁଥିଲେ ଘଟଣା ଗଣମଧ୍ୟମରେ ପ୍ରକାଶ ପାଇଲା । ତାପରେ ଚେତିଲା ପ୍ରଶାସନ । ଘଟଣାସ୍ଥଳରେ ପ୍ରଶାସନ ପଂହଚି ତାର ଗୁଡିକୁ କାଢି ପକାଇଥିଲେ ପ୍ରଶାସନିକ ଅଧିକାରୀ । ତେବେ ତାର କାଢିବା ପରେ କିପରି ରହିଛି ଅଂଚଳର ଗମନାଗମନ ଅବସ୍ଥା ଘଟଣା ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଁଚିଥିଲା ଆମ ଟିମ ।

ତେବେ ତାର କିଢିଦିଆଯିବା ପରେ ସେହି ଅଂଚଳରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ । ବାଇକଟିଏ ମଧ୍ୟ ଯାଇପାରିବ ନାହିଁ । କେବଳ ଏତିକି ନୁହେଁ ଏହି ରାସ୍ତା ୧୨ ରୁ ୧୫ କିଲୋମିଟର ଦୂର ହେବ ଏହି ପରି ରହିଛି । ଏପରି ରାସ୍ତାରେ ପଂଚାୟତକୁ ଯିବା ପାଇଁ ଗ୍ରାମବାସୀ ରୋକଠୋକ ମନା କରିଦେଇଛନ୍ତିା ଏପଟେ ତାର କାଢି ଦିଆଯିବା ପରେ ଲୋକେ ବିପଦପୂର୍ଣ୍ଣ ଭାବରେ ପାଣି ଭିତରେ ପଶି ପ୍ରତିଦିନ ଯାଆସ କରୁଛନ୍ତି । ପ୍ରତିଦିନ ପାଣି ଭିତରେ ବାଜିରେ ଲାଗୁଛି ଜୀବନ । ସେତେବେଳେ ତାର ଝୁଲାରେ ଯିବାରେ ବିପଦ ରହିଥିଲା । ଏବେ ପାଣି ଭିତରେ ରହିଛି ବିପଦ ।

ପ୍ରଶାସନ କେବଳ ତାର କାଢି ଦେଇ କାମ ସାରି ଦେଇଛି କହିଲେ କିଛି ଭୁଲ୍ ହେବନାହିଁ । କିନ୍ତୁ ଉପାନ୍ତ ଅଂଚଳର ଏହି ରାସ୍ତାକୁ ମରାମତି ନେଇ କିଛି ଧ୍ୟାନ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରି ବିପଦ ପୂର୍ଣ୍ଣ ଯାତ୍ରା ଭିତରେ ପାଠପଢି ନିଜର ଭାଗ୍ୟ ବଦଳାଇବାକୁ ସରକାରଙ୍କୁ ପୋଲ ଟିଏ ନିର୍ମାଣ କରିବାକୁ ନିବେଦନ କରିଛନ୍ତି ଅଂଚଳର ଛାତ୍ରଛାତ୍ରୀ ।