କାୟା ମେଲାଉଛି କରୋନା: ଆଜି ଦିନକରେ ୧୩ ଆକ୍ରାନ୍ତ ଚିହ୍ନଟ । ସକାଳେ ୭, ବର୍ତ୍ତମାନ ଆଉ ୬ ଜଣଙ୍କ ନମୂନାରେ କରୋନା ପଜିଟିଭ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଲା

4,527

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟରେ ବଡ ଖବର । ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ପୁଣି ୬ ଜଣଙ୍କ ନମୂନାରେ କରୋନା ପଜିଟିଭ । ଆଜି ସକାଳେ ୭ ଜଣ ଆକ୍ରାନ୍ତା ଚିହ୍ନଟ ହୋଇଥିଲେ । ଆଉ ବର୍ତ୍ତମାନ ୬ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଥାତ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଲା ।

ତେବେ ଆଜି ସକାଳେ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ ଦେହରେ କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲା ପ୍ରଶାସନ । ସେ ଓ ତାଙ୍କ ବାପା ମା କେଉଁଆଡେ ଯାଇଥିଲେ କି ଅବା ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ । ତେବେ ଏତେ ଛୋଟ ଝିଅ ଆକ୍ରାନ୍ତ ହେବା ରାଜ୍ୟର ପ୍ରଥମ ଘଟଣା । ତେଣୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେବେ କୁନି ଝିଅ ପଜିଟିଭ ଚିହ୍ନଟ ହେବା ପରେ ପଂଚାୟତର ୩ଟି ୱାର୍ଡକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି ।

ଅନ୍ୟପଟେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୪୮ରୁ ୬୬ବର୍ଷ ଭିତରେ ରହିଛି । ବାସୁଦେବପୁର ବ୍ଲକର ୩ ଜଣ ଓ ଭଣ୍ଡାରୀପୋଖରୀ ବ୍ଲକର ୨ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ଠାରୁ ନମୂନା ସଂଗ୍ରହ କରାଯିବା ପରେ ତାଙ୍କୁ ପୃଥକବାସରେ ରଖାଯାଇଥିଲା ।

ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ଗାଁର ୫୮ ବର୍ଷୀୟ ଆକ୍ରାନ୍ତ ଜଣକ ଟ୍ରକ ଡ୍ରାଇଭର ଓ ସେ ଏପ୍ରିଲ ୯ ତାରିଖ ଦିନ କୋଲକାତାରୁ ଫେରିଛନ୍ତି ।

ବାସୁଦେବପୁର ବ୍ଲକର ତୃତୀୟ ଆକ୍ରାନ୍ତ ମାଟିପକା ଗାଁର ୫୫ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ବୋଲେରୋ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ । ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆ ଟେସିଙ୍ଗା ଗାଁର ୪୮ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।

ଆଉ ଆଜି ପୁଣି ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଏବେ ରାଜ୍ୟରେ ପଜିଟିଭ ସଂଖ୍ୟା ୭୪ । ସକ୍ରିୟ କେସ୍ ୪୯, ସୁସ୍ଥ ହୋଇଛନ୍ତି ୨୪ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଯାଜପୁରର ଏବଂ ଜଣେ ସୁନ୍ଦରଗଡ ବିସ୍ରା ଅଞ୍ଚଳର ।