କାଲିର ବିରୋଧ ପରେ ଆଜି ପୁଣି କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁ । ତେଲି-ତିଲେଇମାଲ, ଟାଇଁଶର ଓ ସାଲେଭାଡିରେ ହିତାଧିକାରୀଙ୍କୁ ବାଣ୍ଟିଲେ ସ୍ମାର୍ଟକାର୍ଡ ।

155

କନକ ବ୍ୟୁରୋ: କାଲିର ବିରୋଧ ପରେ ଆଜି କୁଚିଣ୍ଡାରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ବିଜେପି ଓ କଂଗ୍ରେସ ପକ୍ଷରୁ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁର୍ତ୍ତବିଭାଗ ଡାକବଙ୍ଗଳାରେ ୪ ଘଣ୍ଟା ଧରି ଅଟକ ରଖିଥିଲେ ଆନ୍ଦୋଳନକାରୀ । ପୁଲିସ କିଛି କର୍ମୀଙ୍କୁ ଉଠାଇ ନେବା ପରେ ମନ୍ତ୍ରୀ ଡାକ ବଙ୍ଗଳାରୁ ବାହାରିଥିଲେ । ଏହାପରେ ଗତକାଲି ମନ୍ତ୍ରୀ ବାଉରିଗୋଡା ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିବା ବେଳେ ଆଜି ପୁଣି କୁଚିଣ୍ଡା ଯାଇ ତେଲିତିଲେଇମାଲ, ଟାଇଁଶର, ସାଲେଭାଡି ଆଦି ପଞ୍ଚାୟତରେ କାର୍ଡ ବାଣ୍ଟିଛନ୍ତି । ତେବେ କାଲିର ବିରୋଧକୁ ନେଇ ମନ୍ତ୍ରୀ କିଛି କହିନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନରେ ଲୋକଙ୍କ ସୁବିଧା ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିରୋଧୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ କୁଚିଣ୍ଡା ବନ୍ଦ ପାଳନ ହେଉଥିଲା । ଏହି ସମୟରେ ଡାକବଙ୍ଗଳାରେ ମନ୍ତ୍ରୀ ଟୁକୁନି ସାହୁ ଥିବା ଖବର ପାଇ ତାତି ଯାଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ଦୁଇ ଦଳର ବହୁ କର୍ମୀ ଡାକବଙ୍ଗଳା ନିକଟରେ ପହଁଚି ତାଲା ପକାଇ ଦେଇଥିଲେ । ଆଉ ଡାକବଙ୍ଗଳା ଭିତରେ ଦୀର୍ଘ ୪ଘଣ୍ଟା କାଳ ଫସି ରହିଥିଲେ ମନ୍ତ୍ରୀ ଟୁକୁନି ସାହୁ ।

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧୀ ଡାକବଙ୍ଗଳାରେ ତାଲା ପକାଇ ଦେବା ଖବର ସୂଚନା ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ପହଁଚିଥିଲେ । ମନ୍ତ୍ରୀଙ୍କୁ ତାଲା ପକାଇବାକୁ ବିରୋଧ କରି ବିଜେଡି କର୍ମୀ ଧାରଣାସ୍ଥଳକୁ ଧସେଇ ପଶିଥିଲେ ବିଜେଡି କର୍ମୀ । ତାପରେ ତିନି ଦଳର କର୍ମୀଙ୍କ ମୁହାଁମୁହିଁ ହୋଇଥିଲେ. ଧସ୍ତାଧସ୍ତି ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ମାଡ କରିବା ସହ ବିରୋଧୀ ଦଳର ଶତାଧିକ କର୍ମୀଙ୍କୁ ଉଠାଇ ନେଇଥିଲା । ତାପରେ ଡାକବଙ୍ଗଳାରୁ ବାହାରିଥିଲେ ମନ୍ତ୍ରୀ ଟୁକୁନୀ ସାହୁ । ତେବେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ବିରୋଧୀ ।