କନକ ବ୍ୟୁରୋ : ଶେଷ ହେଲା ୧୫ ମାସର ଆନ୍ଦୋଳନ । ଘରକୁ ଫେରିଲେ ଚାଷୀ । କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନକୁ ନେଇ ରାସ୍ତାକୁ ଓହ୍ଲାଇଥିବା ଚାଷୀଙ୍କ ପ୍ରତିବାଦ ଶେଷ ହୋଇଛି । ଦୀର୍ଘ ୧୫ ମାସ ଆନ୍ଦୋଳନରେ ବସିଥିବା ଚାଷୀ ଏବେ ଘରକୁ ଫେରିଛି । ଦିଲ୍ଲୀ ସୀମାରେ ଥିବା ସିଙ୍ଘୁ ବର୍ଡର, ଗାଜିପୁର ବର୍ଡର, ଓ ଟିକିରି ବର୍ଡରରୁ ଆସିଛି କିଛି ଏଭଳି ଦୃଶ୍ୟ । ମାସ ମାସ ଧରି ଅନଶନରେ ବସିଥିବା ଚାଷୀମାନେ ନିଜ ନିଜ ଟେଣ୍ଟ ହଟାଇବା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହୃତ କରିବା ସହ ଚାଷୀଙ୍କ ପ୍ରମୁଖ ଦାବି ମାନିବା ପରେ ସୀମାରେ କୃଷକମାନେ ଉତ୍ସବ ମନାଉଛନ୍ତି । ବାଜା ବଜାଇ ବାଣ ଫୁଟାଇ ଚାଷୀମାନେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Advertisment

ବିବାଦୀୟ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୪ ମାସ ଧରି ଚାଷୀ ଆନ୍ଦୋଳନ ଜାରି ରହିଥିଲା । ପଞ୍ଜାବ, ହରିଆଣା, ରାଜସ୍ଥାନ, ଭଳି ରାଜ୍ୟର ବିଭିନ୍ନ ସ୍ଥାନର ଚାଷୀମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଥିଲେ । ଏହି ଆନ୍ଦୋଳନରେ ପାଖାପାଖି ୭ଶହ ଚାଷୀ ପ୍ରାଣ ମଧ୍ୟ ହରାଇଲେ । ଚାଷୀଙ୍କ ଏହ ପ୍ରତିବାଦ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ମୋଦୀ ସରକାର, ଆଉ ବିବାଦୀୟ ଆଇନ୍ ପ୍ରତ୍ୟାହୃତ ହେଲା । ହେଲେ ତଥାପି ଶେଷ ହୋଇ ନଥିଲା ଆନ୍ଦୋଳନ । ଚାଷୀଙ୍କର ରହିଥିଲା ଆହୁରି ଅନେକ ଦାବି । ଏମଏସପିକୁ ଆଇନରେ ପରିଣତ କରିବା, ମୃତ ଚାଷୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା, ଚାଷୀଙ୍କ ଉପରେ ଲାଗିଥିବା ମାମଲାକୁ ପ୍ରତ୍ୟାହାର କରିବା ଆଦି ଦାବି ରହିଥିଲା କୃଷକଙ୍କର । ଆଉ ଏହି ସବୁ ଦାବିକୁ କେନ୍ଦ୍ର ସରକାର ମାନିନେବା ପରେ ଏବେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ ।

୧୫ ମାସ ପରେ ନିଜ ଦାବି ପୂରଣ କରି ଘରକୁ ଫେରୁଛନ୍ତି ଚାଷୀ । ଆଉ ସେମାନଙ୍କ ଆଖିରେ ବି ଦେଖିବାକୁ ମିଳିଛି ସେହି ଖୁସି, ଉତ୍ସାହ । ଚାଷୀଙ୍କ ଏହି ବିଜୟ ପରେ ଆକାଶରୁ ଉଡାଜାହାଜ ଜରିଆରେ ଫୁଲର ବର୍ଷା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ । ଦେଶକୁ ଅନ୍ନ ଯୋଗାଉଥିବା ଚାଷୀଙ୍କୁ ଫୁଲର ବର୍ଷା କରି ସମ୍ମାନୀତ କରିଛନ୍ତି ପ୍ରବାସୀ ଭାରତୀୟ ।