ଫାଇଜର ଟିକା ନେଇ ନରୱେର ୨୩ ବରିଷ୍ଠ ନାଗରିକଙ୍କ ମୃତ୍ୟୁ । ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ହରାଇଲେ ପ୍ରାଣ । ପାଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ

2,738

କନକ ବ୍ୟୁରୋ : ଫାଇଜର ଟିକା ନେଇ ୟୁରୋପୀୟ ରାଷ୍ଟ୍ର ନରୱେରେ ଗୋଟିଏ ଦିନରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଟିକାର ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା । ସମସ୍ତ ମୃତକ ବରିଷ୍ଠ ନାଗରିକ ବୋଲି ଜଣାପଡିଛି । ସେମାନଙ୍କର ମୃତ୍ୟୁର କାରଣ ପାଶ୍ୱପ୍ରତିକ୍ରିୟା ବୋଲି ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ସମାନ କାରଣ ଯୋଗୁଁ ଆହୁରି ଅନେକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ଦେଇଛି ନରୱେ ସ୍ୱାସ୍ଥ୍ୟ ବିଭାଗ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ନରୱେରେ ଟିକାକରଣକୁ ସାମୟିକ ଭାବେ ବନ୍ଦ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଟିକା ବୟସ୍କ ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ନରୱେ ସରକାର ଘୋଷଣା କରିଛନ୍ତି । ଏନେଇ ନରୱେର ଜଣେ ଡାକ୍ତର କହିଛନ୍ତି କି ଟିକା ନେବା ପରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକଙ୍କର ବୟସ ୮୦ ବର୍ଷରୁ ଅଧିକ । ସୂଚନା ରହିଛି କି ନରୱେରେ ଡିସେମ୍ବର ମାସରୁ ଏ ପର୍ଯ୍ୟନ୍ତ ୩୦ ହଜାର ଲୋକଙ୍କୁ ଫାଇଜର କିମ୍ବା ମଡର୍ଣ୍ଣା ଟିକା ଦିଆଯାଇଛି । ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ମାନଙ୍କରେ ଫାଇଜର ଟିକାକୁ ନେଇ ଏଭଳି ଅଭିଯୋଗ ଆସିବା ପରେ ଟିକା ନିର୍ମାତା ଫାଇଜର ବାୟୋଏନଟେକ୍ ୟୁରୋପକୁ ଟିକା ଯୋଗାଣ ହ୍ରାସ କରିଛି ।

ଭାରତରେ ଟିକାକୁ ନେଇ ଏଭଳି ଅଭିଯୋଗ ଆସିବା ପରେ ଭାରତରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି କି ଟିକାକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ତାହା କପୋଳକଳ୍ପିତ ନୁହେଁ । ଯାହାର ପ୍ରମାଣ ନରୱେରେ ଦେଖା ଦେଇଛି । ଟିକାକୁ ନେଇ କଂଗ୍ରେସ ଯେତେବେଳେ ଅଭିଯୋଗ ଆଣିଥିଲା ସେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ କି ଟିକାକୁ ନେଇ କଂଗ୍ରେସ ଗୁଜବ ପ୍ରଚାର କରିବା ସହ ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ମଞ୍ଜି ବୁଣୁଛି ।