ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶ, ବିହାରରେ ପରିସ୍ଥିତି ଅସମ୍ଭାଳ: ସ୍କ୍ରବ ଟାଇଫସ୍ ଜ୍ୱରରେ ୨୬ ଶିଶୁ ମୃତ, ହଜାରେରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

1,190

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶ ଓ ବିହାରରେ ମଧ୍ୟ ସ୍କ୍ରବ ଟାଇଫସ୍ ଆତଙ୍କ । ଏଥିରେ ଅକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରେ ପିଲାମାନଙ୍କ ସଂଖ୍ୟା ଉଦବେଗଜନକ ରହିଛି । ଏହି ରହସ୍ୟମୟ ଜ୍ୱରରେ ଉପରୋକ୍ତ ୩ଟି ରାଜ୍ୟରୁ ହଜାରେରୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ୫୦ ଟପିଲାଣି ।ମୃତକଙ୍କ ମଧ୍ୟରେ ୨୬ଜଣ ଶିଶୁ ଥିବା ଜଣାପଡିଛି । ଫିରୋଜାବାଦରେ ଅଧିକ ସଂକ୍ରମିତ ଥିବା ଜଣାପଡିଛି । ଉତ୍ତରପ୍ରଦେଶରେ ୪୦୦ରୁ ଅଧିକ ସଂକ୍ରମିତ ଥିବାବେଳେ ଭୋପାଳରେ ୨୦୦ ଓ ବିହରର ୩ଟି ଜିଲ୍ଲାରେ ୪୦୦ ଆକ୍ରାନ୍ତ ଥିବା ସୂଚନା ରହିଛି ।

ସୂଚନା ମୁତାବକ, ଫିରୋଜାବାଦରେ ସବୁଠୁ ଅଧିକ ଆକ୍ରାନ୍ତ ହୋଉଥିବା ଜଣାପଡିଛି । ଫିରୋଜାବାଦ ମେଡିକାଲ କଲେଜରେ ୨୮୫ ଶିଶୁଙ୍କ ସହ ମୋଟ ୩୭୫ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାସହ ଚିକିତ୍ସା ପାଇଁ ଓପିଡି ବାହାରେ ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଭିନ୍ନ ହସ୍ପିଟାଲ ଯାଇ ଆକ୍ରାନ୍ତଙ୍କୁ ଭେଟିବା ସହ ଆବଶ୍ୟକ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଜ୍ୱର ‘ ଓରିଏଣ୍ଟିଆ ସୁତୁଗାମୁସି’ ବ୍ୟାକ୍ଟେରିଆରୁ ବ୍ୟାପୁଛି, ଯାହା ଲାର୍ବା ମାଇଟ୍ସ ପୋକ କାମୁଡୁଥିବା ଯୋଗୁଁ ହେଉଥିବା ବିଶେଷଜ୍ଞ ମାନେ କହିଛନ୍ତି । ଏଥିରୁ ମୁକ୍ତି ପାଇଁ କରୋନା ପରି ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପଡିବ । ମାସ୍କ ପିନ୍ଧିବା ସହ ଆକ୍ରାନ୍ତଙ୍କ ଠାରୁ ଦୂରତା ରକ୍ଷା କିରିବା ଓ ବିଲବାଡିରେ ପର୍ମେଥ୍ରିନ୍ କୀଟନାଶକ ପ୍ରୟୋଗ କରିବାକୁ ସିଡିସି ପକ୍ଷରୁ କୁହାଯାଇଛି । ଏନେଇ ସମସ୍ତ ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇଦିଆଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିବାବେଳେ ଏହି ଘଟଣାରେ ଫିରୋଜାବାଦର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ରାନ୍ସଫର କରିବା ସହ ୩ଜଣ ଡାକ୍ତରଙ୍କୁ ନିଲମ୍ବନ କରିଥିଲେ ସ୍ୱାସ୍ଥ୍ୟ ବିଭାଗ ।