ସ୍ୱାଭାବିକ ପ୍ରଶ୍ନକାଳ ପରେ ବିଧାନସଭାରେ ପୁଣି ତାତିଲେ ବିରୋଧୀ । ଗାନ୍ଧୀଙ୍କ ପ୍ରସଙ୍ଗରେ ବର୍ଷିଲେ ନରସିଂହ, ସେପଟେ ଅଧିକ ସମୟ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଲେ ଅମର ।

239

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ଶୀତ ଅଧିବେସନର ପ୍ରଥମ ଦୁଇ ଦିନ ନଷ୍ଟ ହେବା ପରେ ଆଜି କିଛିଟା ସ୍ୱାଭାବିକ ହୋଇଛି ଗୃହ । ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶ୍ନଉତ୍ତର କାଳ କିନ୍ତୁ ଚାଲିପାରିଛି । ହେଲେ ପୁଣି ଥରେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ହୋହାଲ୍ଲା କରିବାରୁ ଗୃହକୁ ଅଧଘଂଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଏହା ସହ ବିଧାନସଭାର ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲି ପାରିବ ସେଥିପାଇଁ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି ।

ଏପଟେ ପ୍ରଶ୍ନ ଉତ୍ତର ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଛନ୍ତି ନଥୁରାମ ଗଡସେ ପ୍ରସଙ୍ଗ । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣାରେ ହୋଇଥିବା ଉଲ୍ଲେଖ ଥିବାରୁ, ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ସେପଟେ ବାଚସ୍ପତି ଅଧିକ ସମୟ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ।