ହାତୀ ମାତିଛି, ଡ଼ର ବଢୁଛି । ପିପିଲି ଛାଡି ଭୁବନେଶ୍ୱରରେ ନରହନ୍ତା ଦନ୍ତା, ୪ ଜଣଙ୍କର ନେଇସାରିଲାଣି ଜୀବନ ।

223

କନକ ବ୍ୟୁରୋ : ପିପିଲି ଅଂଚଳରେ ୪ ଜଣଙ୍କୁ ଦଳି ମାରିବା ପରେ ଜଙ୍ଗଲି ହାତୀ ବର୍ତମାନ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଜଙ୍ଗଲରେ ଅଛି । ଆଜି ରାତି ସୁଦ୍ଧା ହାତୀକୁ ଚନ୍ଦକା ଆଣିବା ପାଇଁ ଯୋଜନା ରହିଛି । ବର୍ତମାନ ପାତ୍ରପଡାରେ ଟ୍ରାଙ୍କୁଲାଇଜର୍ ଟିମ୍ ସହ ୪୦ ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ଆସନ୍ତାକାଲି ସୁଦ୍ଧା ହାତୀ ଯଦି ଚନ୍ଦକା ନଆସେ ତେବେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇ ଅଣାଯିବାକୁ ବ୍ୟବସ୍ଥା କରିଛି ବନ ବିଭାଗ ।

୧୮ ତାରିଖ ଦିନ ଚନ୍ଦକା ଅଭୟାରଣ୍ୟରୁ ବାହାରିଥିଲା ବଣୁଆ ହାତୀ । ଖୋର୍ଦ୍ଧା ବନଖଣ୍ଡ ଦେଇ ଭାର୍ଗବୀ ନଦୀ ପାର କରିଥିଲା । ୨୧ ତାରିଖ ଦିନ ପହଁଚିଥିଲା ଡେଲାଙ୍ଗ ଅଂଚଳରେ । ସେଠାରୁ ନିମାପଡା ଓ ପରେ ବାଲିପାଟଣା ଓ ବଳଙ୍ଗା ଦେଇ ୨୩ ତାରିଖରେ ପିପିଲି ଅଂଚଳରେ ଉତ୍ପାତ ମଚାଇଥିଲା । ୨୩ ତାରିଖ ରାତିରେ ହାତୀକୁ ଜଟଣୀ ଅଭିମୁଖେ ଘଉଡାଇଥିଲେ ବନ କର୍ମଚାରୀ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଏବଂ ପରେ ଦୟା ନଦୀ ଦେଇ ୨୪ ତାରିଖ ସକାଳୁ ପାତ୍ରପଡାରେ ପହଁଚିଥିଲା ବଣୁଆ ଦନ୍ତା । ଏହାରି ଭିତରେ ହାତୀ , ୪ ଜଣଙ୍କୁ ଦଳି ଜୀବନ ନେଇସାରିଛି ।

ତେବେ ସବୁଠୁ ବଡ ପ୍ରଶ୍ନ ଉଠୁଛି, କାହିଁକି ଉତ୍ପାତ ମଚାଇଛି ଜଙ୍ଗଲି ହାତୀ ? ହାତୀ ଉଗ୍ର ହେବା ପଛର କାରଣ କଣ ? ଚନ୍ଦକାରେ ରହୁଥିବା ଏହି ଜଙ୍ଗଲି ଅଣ୍ଡିରା ହାତୀର ନାଁ ବାହୁବଳୀ । ବୟସ ୧୫ ରୁ ୨୦ ବର୍ଷ ଭିତରେ । ଯୁବ ବୟସର ଏହି ହାତୀ ବର୍ତମାନ ଏଭଳି ଉତ୍ପାତ ହେବା ପଛରେ କାରଣ ବି ରହିଛି । ପ୍ରାଣୀ ବିଶେଷଜ୍ଞ କହିଛନ୍ତି, ବର୍ତମାନ ହାତୀ ଦେହରେ ଟେମ୍ପୋରିନ୍ ନାମକ ଏକ ହରମୋନ କ୍ଷରଣ ହେଉଛି । ଏବଂ ହାତୀଟି ବର୍ତମାନ ମସ୍ତ ପର୍ଯ୍ୟାୟରେ ଅଛି । ଯାହା ଫଳରେ ସେ ଉଗ୍ର ହୋଇଉଠୁଛି । ଆଉ ଯିଏ ତା ପାଖ ଦେଇ କିମ୍ବା ଆଗରେ ଦୌଡୁଛି, ତାଉପରେ ହାତୀ ଆକ୍ରମଣ କରୁଛି ।

ହାତୀଟି ବର୍ତମାନ ସୁଦ୍ଧା ୪ ଜଣଙ୍କ ଜୀବନ ନେଲାଣି । ତେବେ ବଡ କଥା ହେଉଛି, ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଚାହୁଁନି ବନ ବିଭାଗ । ତେଣୁ ହାତୀକୁ ଘଉଡାଇ ଚନ୍ଦକା ଜଙ୍ଗଲ ଭିତରକୁ ପଠାଇବାକୁ ଉଦ୍ୟମ କରାଯାଉଛି ।