ଟୁକୁନି ସାହୁଙ୍କ ପରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡାମାଡ । କଳାହାଣ୍ଡି କଲମପୁରରେ ଅଣ୍ଡାମାଡ କଲେ ବିଜେପି କର୍ମୀ ।

113

କନକ ବ୍ୟୁରୋ: ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ମନ୍ତ୍ରୀଙ୍କ ଉପରକୁ ଅଣ୍ଡମାଡ କରିଛନ୍ତି ବିଜେପି କର୍ମୀ । କଳାହାଣ୍ଡିର କଲମପୁର ଅଞ୍ଚଳରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପରକୁ ଏହି ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି ।

ତେବେ ଏହାପୂର୍ବରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରକୁ ମଧ୍ୟ ଅଣ୍ଡାମାଡ ହୋଇଥିଲା । ଭବାନୀପାଟଣାରୁ ଫେରୁଥିବା ବେଳେ ନର୍ଲା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ  ବିଜେପି କର୍ମୀ । ମମିତା ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିବା କହିଛନ୍ତି ବିଜେପି କର୍ମୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ।

ସୂଚନାଯୋଗ୍ୟ ଯେ, ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ  ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି । ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୦ରୁ ଅଧିକ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇଥିଲା ବିଜେପି ।  ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା । ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାପତାକା ପ୍ରଦର୍ଶନ କରୁଥିବା ଯୁବ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ସେଠାରେ ବିରୋଧ କରାଯିବ ବୋଲି ଦଳ ପୂର୍ବରୁ ଚେତାବନୀ ଦେଇଥିଲା । ସେହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଗଡିବାକୁ ଦିଆଯିବ ନାହିଁ ବୋଲି ଦଳ କହିଛି  । ଏଥିସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ।