କାଲି ୧୯ ଯୁଦ୍ଧର ଅନ୍ତିମ ଲଢ଼େଇ । ଦେଢ଼ମାସ ଧରି ଗାଁଠୁ ସହରରେ ବହୁଥିବା ରାଜନୀତି ହାୱା ହୋଇଯିବ ନିସ୍ତବ୍ଧ, ମେ’ ୨୩ର ଝଡ଼କୁ ଅପେକ୍ଷା ।

କାଲି ୧୯ ଯୁଦ୍ଧର ଚତୁର୍ଥ ଅଧ୍ୟାୟ ପରେ ଖାଁ ଖାଁ ହୋଇଯିବ ଗାଁର ଗଳିକନ୍ଦି । ଶୁଭିବନି ପ୍ରଚାର କିମ୍ବା ନେତାଙ୍କ ଗହଳି । କିନ୍ତୁ ଆସନ୍ତା ମେ’ ୨୩ ତାରିଖରେ ଯେଉଁ ପରୀକ୍ଷା ଫଳ ବାହାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

101

କନକ ବ୍ୟୁରୋ: ରାତିପାହିଲେ ୧୯ ମହାଯୁଦ୍ଧର ଅନ୍ତିମ ଅଧ୍ୟାୟ । ସିପାହୀଙ୍କୁ ସାଥିରେ ନେଇ ଦୀର୍ଘ ଦେଢ଼ମାସ ଧରି ରାଜନୀତି କୁରୁକ୍ଷେତ୍ରରେ ଯେଉଁଭଳି ସଂଘର୍ଷ କରୁଥିଲେ ଶୀର୍ଷ ନେତା ସେଥିରେ କାଲି ପଡ଼ିବ ପୂର୍ଣ୍ଣଛେଦ । ଆଉ ରାଜନୀତି ରଙ୍ଗ ମଞ୍ଚରୁ ବାହୁଡ଼ି ଆସିବେ ରାଜନେତା । ତେବେ ଆସନ୍ତାକାଲି ହେବାକୁଥିବା ଶେଷ ପରୀକ୍ଷା ପରେ ମେ’ ୨୩ ତାରିଖରେ ବାହାରିବ ପରୀକ୍ଷା ଫଳ । ଆଉ ତାହାକୁ ଅପେକ୍ଷା କରି ବସିଛନ୍ତି ବିଭିନ୍ନ ଦଳର ପରୀକ୍ଷାର୍ଥୀ ଓ ମୁଖିଆ ।

ସବୁଠାରୁ ବଡ଼କଥା ହେଲା କି, କାଲି ୧୯ ଯୁଦ୍ଧର ଚତୁର୍ଥ ଅଧ୍ୟାୟ ପରେ ଖାଁ ଖାଁ ହୋଇଯିବ ଗାଁର ଗଳିକନ୍ଦି । ଶୁଭିବନି ପ୍ରଚାର କିମ୍ବା ନେତାଙ୍କ ଗହଳି । କିନ୍ତୁ ଆସନ୍ତା ମେ’ ୨୩ ତାରିଖରେ ଯେଉଁ ପରୀକ୍ଷା ଫଳ ବାହାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦୀର୍ଘ ଦେଢ଼ ମାସ ଧରି ରାଜ୍ୟ ରାଜନୀତିରେ ଲଢ଼େଇ ଚାଲିଥିଲା ତାହାର ଅବସାନ ଗତକାଲି ପରୀକ୍ଷା ପରେ ଶେଷ ହୋଇଯିବ । ଆଉ ଆସନ୍ତା ୨୩ରେ ଜାତୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ଯେଉଁଭଳି ଝଡ଼ ଉଠିବ ତାହା ପୂର୍ବରୁ ବାରି ହୋଇପଡ଼ୁଛି । କାରଣ ଏବେ ଗାଁଠୁ ସହର ସବୁଠି ଝଡ଼ ପୂର୍ବରୁ ନୀରବତା ଦେଖିବାକୁ ମିଳିଛି ।

ଗତ ୧୧ ତାରିଖରୁ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଥିବା ୩ଟି ଖାତାରେ ପରୀକ୍ଷା ଦେଇଥିବା ବିଭିନ୍ନ ଦଳର ପରୀକ୍ଷାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ରହିଛି । ଆଉ ଆସନ୍ତା କାଲିର କୁରୁକ୍ଷେତ୍ରରେ ମଧ୍ୟ ଜନତା ଜନାର୍ଦ୍ଧନ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ପରୀକ୍ଷାର୍ଥୀଙ୍କ ଖାତାରେ ମାର୍କ ଦେବେ । ଆଉ କିଏ ତାଙ୍କ ପାଇଁ ଉପଯୁକ୍ତ ସିପାହୀ ହୋଇ ପାରିବ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ତେବେ ଏହାରି ପୂର୍ବରୁ ୪ଟି ପର୍ଯ୍ୟାୟ ପାଇଁ ଯେଉଁଭଳି ଘମାଘୋଟ୍ ପ୍ରଚାର ହୋଇଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି ।

ଅନ୍ୟପଟେ ଯେଉଁ ଗଳିକନ୍ଦିରେ ଦୀର୍ଘ ୫ ବର୍ଷ ହେବ ଯେଉଁ ନେତାଙ୍କ ପାଦ ପଡୁନଥିଲା ଦୀର୍ଘ ଦେଢ଼ ମାସ ଧରି ସେହି ଗଳିକନ୍ଦି ରାସ୍ତାରେ ଚାଲି ଚାଲି ଚପଲ ଛିଡ଼ାଇଥିଲେ ନେତା । କେବଳ ଗୋଟିଏ ଭୋଟ୍ ପାଇଁ ପ୍ରାର୍ଥୀ ଆଉ ଶୀର୍ଷ ନେତାଙ୍କ ମେଳି ଦେଖିବାକୁ ମିଳିଥିଲା । କିନ୍ତୁ ଗତକାଲିଠାରୁ ଏହି ଅଦିନିଆ ରାଜନୀତି ତୁମ୍ଭିତୋଫାନ ସତେଯେମିତି ନିସ୍ତବ୍ଧ ହୋଇପଡ଼ିଛି । ଖାଲି ଅପେକ୍ଷାରେ ରହିଛି ଆସନ୍ତା ମେ’୨୩ ପରୀକ୍ଷା ଫଳକୁ । ହେଲେ ସେହି ଝଡ଼ କାହା ଶିବିରକୁ ହସ ଭରିବ ତ ଆଉ କାହା ଶିବରକୁ ହତାସର ପବନରେ ଭାଙ୍ଗି ଦେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।