କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ତଳିଆ ଅଂଚଳରେ ରାଜୁଆ ନଦୀର ପାଣି ପଶିବାରୁ ପାଖାପାଖି ୩ଟି ପଂଚାୟତ ପ୍ରଭାବିତ ହୋଇଛି । ୧୦ରୁ ୧୫ ହଜାର ଲୋକ ବନ୍ୟା ପାଣି ଘେରରେ ରହିଥିବାବେଳେ ଉରୁମି ଗାଁରେ ପହଂଚିଥିଲା କନକ ନ୍ୟୁଜ । ଆଉ ରାତିରେ କିଭଳି ଜୀବନ ବିକଳରେ ଲୋକ ଘର ଛାଡୁଛନ୍ତି ତାହା ଦେଖିବାକୁ ମିଳିଥିଲା ।

Advertisment

ପୁରୀ ଜିଲ୍ଲା କଣାସରେ ଦୁର୍ବିସହ ହୋଇପଡିଛି ବନ୍ୟା ବିପନ୍ନଙ୍କ ସ୍ଥିତି । ଦୟା, ରାଜୁଆ ଓ ମଲାଗୁଣୀ ନଦୀର ବନ୍ୟାପାଣି ଗାଁ ଭିତରେ ପଶିଛି । ନୂଆପାଇଲୁଣ୍ଡି ରାସ୍ତା ମଝିରେ ଗତକାଲି ରାତିରୁ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଯୋଗୁଁ ୫୦ ଖଣ୍ଡ ଗାଁ ଜଳମଗ୍ନ ହୋଇଛି । ୮ଟି ପଂଚାୟତର ସମସ୍ତ ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି ।

କେନ୍ଦ୍ରାପଡା ଗରଦପୁର ବ୍ଲକରେ ପଶିଛି ଚିତ୍ରତ୍ପୋଳା ଓ ପାଇକା ନଦୀର ପାଣି । ଜଳ ସଂପଦ ବିଭାଗ ପକ୍ଷରୁ ନଦୀବନ୍ଧର ସୁରକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଥିବାବେଳେ ବିଚଣା ଗାଁର ଲୋକ ନିଜେ ରାତିସାରା ବନ୍ଧ ଜଗିଛନ୍ତି ।

ହୀରାକୁଦରୁ ଛଡା ଯାଇଥିବା ବନ୍ୟାପାଣି ଅନେକ ଛୋଟବଡ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଜଳ ସଂପଦ ବିଭାଗ ବଡ ବିପଦ ଏଡାଇବାକୁ ବନ୍ୟା ପାଣି ନିୟନ୍ତ୍ରଣ କରୁଛନ୍ତି ସତ, ହେଲେ ତଳିଆ ଅଂଚଳରେ ଲୋକଙ୍କ ରାତିର ନିଦ ହଜି ଯାଇଛି ।