ସରିଲା ଶପଥ ସମାରୋହ, କାମରେ ଲାଗିଯିବେ ନୀତିଶ କୁମାର : ଆଜି ଦିନ ୧୧ଟାରେ ନୀତିଶଙ୍କ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକ; ସେପଟେ କିଏ ହେବେ ନୂଆ ବିଧାନସଭାର ବାଚସ୍ପତି?

ସରକାରକୁ ସ୍ଥିର ରଖିବା ପାଇଁ ବିଜେପି ନିଜ ହାତରେ ରଖିବା ସମ୍ଭାବନା

71

କନକ ବ୍ୟୁରୋ : ସରିଲା ଶପଥ ସମାରୋହ, ଏଣିକି କାମରେ ଲାଗିଯିବେ ନୀତିଶ କୁମାର । ଗତକାଲି ଶପଥ ନେବା ପରେ ଆଜି ଦିନ ୧୧ଟାରେ ପ୍ରଥମ କ୍ୟାବିନେଟ ବୈଠକ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ସହ ଗତକାଲି ଏନଡିଏର ୧୪ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପିରୁ ୭, ଜେଡିୟୁରୁ ୫ ଏବଂ ଏନଡିଏ ମେଂଟର ଦୁଇ ଛୋଟ ସହଯୋଗୀ ହମ୍ସ ଓ ଭିଆଇପି ପାର୍ଟିରୁ ଜଣେ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଗାମୀ ୨୩ ତାରିଖରେ ବିହାରରେ ନୂଆ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ନିଯୁକ୍ତ ହେବେ ପ୍ରୋଟେମ ସ୍ପିକର ଅର୍ଥାତ କାମଚଳା ବାଚସ୍ପତି ।

ଯିଏ ଗୃହର ନୂଆ ସଦସ୍ୟମାନଙ୍କୁ ଶପଥପାଠ କରାଇବେ । ଏହାପରେ ବାଚସ୍ପତି ନିଯୁକ୍ତ କରାଯିବ । ମ୍ୟାଜିକ ନମ୍ବରଠାରୁ ମାତ୍ର ୩ଟି ଅଧିକ ଆସନ ପାଇଥିବାରୁ ସରକାରକୁ ସ୍ଥିର ରଖିବା ପାଇଁ ଏହି ଆସନରେ ଜଣେ ଅନୁଭବୀ ନେତାଙ୍କୁ ବସାଇବାକୁ ଚାହୁଁଛି ଏନଡିଏ । ମିଲିଥିବା ସୂଚନା ଅନୁସାରେ ବିଜେପି ଏହି ଆସନ ନିଜ ପଖାରେ ରଖିବାକୁ ଚାହୁଁଛି । ପାଟନା ସାହେବ ଆସନରୁ ଲଗାତର ସପ୍ତମଥର ପାଇଁ ନିର୍ବାଚିତ ହୋଇଥିବା ବିଜେପିର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି କରାଯାଇପାରେ ।