ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ରାଜନୀତିରେ ହଲଚଲ । ଇସ୍ତଫା ପରେ ବିଜେପିକୁ ପୁଣି ବାହୁଡିଲେ ୬ ଜିଲ୍ଲା ପରିଷଦ ସଭ୍ୟ ।

452

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ଇସ୍ତଫା ଦେବାର ୪୮ ଘଣ୍ଟା ନପୁରୁଣୁ ପୁଣି ବିଜେପିକୁ ଫେରିଛନ୍ତି ୬ ବିଦ୍ରୋହୀ ଜିଲ୍ଲା ପରିଷଦ ସଭ୍ୟ । ଆଜି ମୟୂରଭଞ୍ଜ ବିଜେପିରୁ ଇସ୍ତଫା ଦେଇଥିଲା ଜିଲ୍ଲା ପରିଷଦଙ୍କ ଭିତରୁ ୬ ଜଣ ସଦସ୍ୟ ଦଳକୁ ପୁଣି ବାହୁଡିଛନ୍ତି । ଗତ ୨୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଇସ୍ତଫା ଦେଇଥିଲେ ୧୫ ଜଣ ଜିଲ୍ଲାପରିଷଦ ସଦସ୍ୟ । ସେମାନଙ୍କ ମଧ୍ୟରୁ ଆଜି ୬ଜଣ ସଭ୍ୟ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ରାଇରଙ୍ଗପୁର ବିଧାୟକ ତଥା ମୟୂରଭଞ୍ଜ ପଶ୍ଚିମ ସାଂଗଠନିକ ଜିଲ୍ଲା ସଭାପତି ନବଚରଣ ମାଝୀ, ପୂର୍ବତନ ରାଜ୍ୟପାଳ ଦ୍ରୋପଦୀ ମୁର୍ମୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପିରେ ପୁଣି ସାମିଲ ହେବା ପରେ ଜିଲ୍ଲାପରିଷଦ ସଭ୍ୟ କହିଛନ୍ତି, ସେମାନେ ବିଜେପିରେ ଥିଲେ, ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ।