କନକ ବ୍ୟୁରୋ: ରାଜନଗର ଡଙ୍ଗାବୁଡି ଘଟଣା ପରେ ମିଳିଲା ସେତୁ ପ୍ରତିଶ୍ରୁତି । ଖୁବଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବ ବିଜୁ ସେତୁ । କେନ୍ଦ୍ରାପଡା ଗସ୍ତ ବେଳେ ସେତୁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ । ଦୁଇ ଦିନ ହେଲା କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଅଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଆଜି ଆଳି ଓ ରାଜନଗର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ।

Advertisment

ଆଜି ରାଜନଗର ବ୍ଲକର କେରଡାଗଡ ବାୟାବାବା ଆଶ୍ରମକୁ ଯାଇଥିଲେ ଫାଇଭ-ଟି ସଚିବ । ସେଠାରେ ସ୍ଥାନୀୟ ଲୋକେ ସଚିବଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଗତକାଲିର ଡଙ୍ଗାବୁଡି ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ଆଜି ପୋଲ ପାଇଁ ଦାବିପତ୍ର ଦେଇଥିଲେ । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଖୁବ୍ଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ହେବ ବୋଲି ସଚିବ କହିଛନ୍ତି । ତେବେ ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ପାଇଁ ୨୦୧୬ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ୩ ଥର ଟେଣ୍ଡର ହୋଇଛି, ହେଲେ କାମ ଆରମ୍ଭ ହୋଇପାରିନାହିଁ । କିନ୍ତୁ ଏବେ ଫାଇଭ-ଟି ସଚିବ କହିଛନ୍ତି ଆସନ୍ତା ୨ ମାସ ମଧ୍ୟରେ ପୋଲ କାମ ଆରମ୍ଭ ହେବ । ଏହାସହ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବଡ ପ୍ୟାକେଜ ଘୋଷଣା କରିବେ ବୋଲି ପାଣ୍ଡିଆନ୍ କରିଛନ୍ତି ।