କନକ ବ୍ୟୁରୋ: ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନ୍ୟ ଅଂଚଳରେ ତେଜିଲା ନୂଆ ଜିଲ୍ଲା ଦାବି । ଆଠଗଡ଼ ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହା ସରକାରଙ୍କ ମୁଣ୍ଡବ୍ୟଥା ବଢାଇପାରେ ବୋଲି ଚର୍ଚ୍ଚା ହେଉଛି ।
୧୩ରୁ ୩୦ ହେଲା, ପଦ୍ମପର’ର କଥା ରହିଲା । ହେଲେ ଆମ ଉପଖଣ୍ଡ କାହିଁକି ଜିଲ୍ଲା ମାନ୍ୟତା ପାଇବ ନାହିଁ । ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି କିଛି ସ୍ୱର ଉଠିଛି । କଟକ ଜିଲ୍ଲା ଆଠଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରି ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିବା ସହ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି । ସମାନ ଢ଼ଙ୍ଗରେ ଟିଟିଲାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ୧୨ ଘଂଟିଆ ବନ୍ଦ ପାଳନ କରିଛି ।
ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଘୋଷଣା, ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । କାରଣ ସାରା ଓଡ଼ିଶାର ଚାରିକୋଣରୁ ଜିଲ୍ଲାମାନ୍ୟତା ଦାବି ତେଜିବାରେ ଲାଗିଛି । କଳାହାଣ୍ଡି ଜିଲ୍ଳାର ଧର୍ମଗଡ, ମୟୂୁରଭଞ୍ଜ ଜିଲ୍ଳାର ରାଇରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ବଲାଙ୍ଗୀର ଜିଲ୍ଳାର ଟିଟିଲାଗଡ, ଅନୁଗୁଳ ଜିଲ୍ଲା ତାଳଚେର, ଗଞ୍ଜାମ ଜିଲ୍ଲାର ଘୁମସୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଭଳି ଉପଖଣ୍ଡ ଗୁଡିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଜୋର ଧରିଛି ।
ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି ପ୍ରସଙ୍ଗରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଥିଲେ- ଜିଲ୍ଲା ମାନ୍ୟତା ପାଇଁ ଅନେକ ଦାବି ସରକାରଙ୍କ ପାଖରେ ପହଂଚିଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଉଛି- କାହାର ଦାବି ଶୁଣିବେ ସରକାର? କାହାର ଦାବିକୁ ଅଣଦେଖା କରିବେ? ତାହା ସବୁଠାରୁ ବଡ଼ ପ୍ରଶ୍ନ ।
Follow Us