କନକ ବ୍ୟୁରୋ: ଫିଟୁଛି ତାନ୍ତ୍ରିକ ଛୁଞ୍ଚି ଚିକିତ୍ସା ଗୁମର। ଅସ୍ତ୍ରୋପଚାର ପରେ ସାମ୍ନାକୁ ଆସିଲା ଯୁବତୀଙ୍କୁ ଛୁଞ୍ଚି ଚିକିତ୍ସାର ସତ। ବୁର୍ଲା ଭିମସାରରେ ଯୁବତୀଙ୍କ ମୁଣ୍ଡ ଅପରେସନ ପରେ ବାହାରିଲା ୭୩ଟି ଛୁଂଚି। ବୁର୍ଲା ମେଡିକାଲରେ ଯୁବତୀଙ୍କର ଅସ୍ତ୍ରୋପଚାର ସରିଛି। ୧୦ ଜଣିଆ ଡାକ୍ତରୀ ଦଳ ଅପରେସନ କରି ଯୁବତୀଙ୍କ ମୁଣ୍ଡରୁ ୭୩ଟି ଛୁଞ୍ଚି ବାହାର କରିଛନ୍ତି। ଅସ୍ତ୍ରୋପଚାର ପରେ ଯୁବତୀ ଜଣଙ୍କ ସୁସ୍ଥ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି। ୨୦୨୧ ମସିହାରେ ବଲାଙ୍ଗୀର ସିନ୍ଧିକେଲା ଇଛଗାଁର ବିଷ୍ଣୁପ୍ରସାଦ ତାଙ୍କ ଝିଅ ଡରୁଥିବାରୁ ତାକୁ ସୁସ୍ଥ କରିବାକୁ ଗୁଣିଆ ନିକଟକୁ ନେଇଥିଲେ। ଝିଅର ପୂଜା କରିବା ନାଁରେ ତାକୁ ଏକ କୋଠରୀରେ ରଖି ତା ମୁଣ୍ଡରେ ପଶୁଙ୍କୁ ଦେଉଥିବା ଇଂଜେକ୍ସନ ସିରିଂଜ କାଟି କପାଳରେ ପଶାଇଥିଲେ ଗୁଣିଆ। ଯାହାକି ଘର ଲୋକ ଜାଣିପାରିନଥିଲେ। କିଛି ଦିନ ପରେ ରେଶମାର ଦେହ ଖରାପ ହୋଇ ମୁଣ୍ଡରୁ ଧାର ଧାର ରକ୍ତ ବାହାରିବା ସହ ମୁଣ୍ଡରୁ କିଛି ଛୁଂଚି ମଧ୍ୟ ବାହରିଥିଲା। ପରିବାର ଲୋକେ ଭୟଭୀତ ହୋଇ ଝିଅକୁ ନେଇ ମେଡିକାଲରେ ପହଂଚିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଝିଅର ସିଟି ସ୍କାନ କରାଯାଇଥିଲା। ଯେଉଁଥିରେ ରେଶମାଙ୍କ ମୁଣ୍ଡରେ ଛୁଞ୍ଚି ଥିବା ଜଣାପଡିଥିଲା। ଘଟଣା ନେଇ କଂଟାବାଂଜି ଥାନାରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ରେଶମାଙ୍କ ପରିବାର ଲୋକ।