କନକ ବ୍ୟୁରୋ: ଦେଶ ସେବା କରିବାକୁ ଯାଇଥଲେ ଆଉ ଦେଶର ରକ୍ଷାକରି ସହିଦ ହୋଇଗଲେ ଓଡିଆ ପୁଅ । ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସରୋଜ କୁମାର ଦାସ । ସହିଦ ଖବର ଜାଣିବା ପରେ କାନ୍ଦ ବୋବାଳରେ ଫାଟିପଡ଼ୁଛି ଘର । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ମଙ୍ଗଳବାର ସିକିମ୍ ବନ୍ୟାରେ ନିଖୋଜ ହୋଇଯାଇଥିଲେ । ଆଉ ଏହାପର୍ବରୁ ସରୋଜଙ୍କ ଶେଷ କଲ  ଚର୍ଚ୍ଚାରେ ରହିଛି । ନିଖୋଜ ହେବା ପୂର୍ବରୁ ସେ ଘର ଲୋକଙ୍କ ସହ କଥା ହୋଇ ବିଚଳିତ ନ ହେବା ପାଇଁ ପରିବାର ଲୋକଙ୍କୁ କହିଥିଲେ ।

Advertisment

ନିଖୋଜ ପୁଅର ସନ୍ଧାନ ଯେତେବେଳେ ଶୋକ ସମ୍ବାଦ ହୋଇ ସାମ୍ନାକୁ ଆସିଛି, ହସଖୁସୀର ପରିବାରରେ ଆଖି ପିଛୁଳାକେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି । ସାତ ମାସ ତଳେ ସଂସାର ଗଢ଼ିଥିବା ସ୍ତ୍ରୀ ମଥାରୁ ଲିଭି ଯାଇଛି ସଧବାର ସିନ୍ଦୁର । ସବୁଦିନ ପାଇଁ ଖାଲି ହୋଇଯାଇଛି, ୯ମାସ ଗର୍ଭଧାରଣ କରିଥିବା ମା’ର କୋଳ । ଭାଇ, ସାହାସ ହରାଇଛି, ବାପା, ଶେଷ ଆଶା ମରିଯାଇଛି । ଆଉ ଏଦେଶ, ସୀମାନ୍ତର ଛାତି ଟେକି ଛିଡ଼ା ହେଉଥିବା ବୀର ଯବାନକୁ ହରାଇଛି । ସିକ୍କିମ୍ ତାଣ୍ଡବରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ସହିଦ ହେବାର ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ସରୋଜଙ୍କ ନିଖୋଜ ହେବାର ଖବର ଘରେ ପହଂଚିବା ପରେ ଯେଉଁ ଆଶା-ଆଶଙ୍କା ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା, ଯେତେବେଳେ ଭିଡିଓ କଲ୍୍ରେ ସରୋଜଙ୍କ ମୁହଁ ଦେଖିଥିଲେ ବଡ଼ ଭାଇ । ପାଣି ମାଡ଼ରେ ଫୁଲି ଯାଇଥିବା ଶରୀରରେ ଭିତରେ ବି ସ୍ପଷ୍ଟ ଦେଖାଯାଉଥିଲା, ଛୋଟ ବେଳର ସେଇ କଳାଜାଇ ଚିହ୍ନ । ଆଉ କୌଣସି ଆଶା ନଥିଲା, ସବୁ ସନ୍ଦେହ ଦୂର ହୋଇଯାଇଥିଲା ଯେ, ସବୁ କିଛି ଉଜୁଡ଼ି ସାରିଛି ।

ଶେଷ କଲ୍୍ରେ କେତେ ଆଶା ଦେଖାଇଥିଲେ ସରୋଜ । କହିଥିଲେ- ପ୍ରବଳ ବର୍ଷା ହେଉଛି, ସଂକଟ ଅଛି । ହେଲେ ପାହାଡ଼ ତଳକୁ ଖସି ଆସିଲୁଣି । ଚିନ୍ତା କରନ୍ତୁ ନାହିଁ । ଯେଉଁ ମା’ ସାହାସୀ ପୁଅଙ୍କୁ ଜନ୍ମ ଦେଖିଛନ୍ତି, ଯେଉଁ ସ୍ତ୍ରୀ ସାହାସୀ ସ୍ୱାମୀଙ୍କୁ ଜୀବନ ସାଥୀ ବାଛିଛନ୍ତି, ସରୋଜଙ୍କ ଅଭୟ ବାଣୀରେ ଆଶ୍ୱସ୍ତ ହୋଇଯାଇଥିଲେ । ହେଲେ କିଏ ଜାଣିଥିଲା ମୃତ୍ୟୁର ଜଳ ଦାଣ୍ଡବ ଏମିତି ଏକ ଅଘଟଣ ଘଟାଇ ଦେବ ।

ଏବେ ଛାତିକୁ ପଥର କରି- ପୁଅ ଅନ୍ତିମ ବିଦାୟ ପାଇଁ ଅପେକ୍ଷା କରି ରହିଛନ୍ତି ପରିବାର, ବନ୍ଧୁ ଓ ପ୍ରିୟଜନ । ୨୦୧୨ ସମିହାରେ ସେନାରେ ସାମିଲ ହୋଇ ବିଭିନ୍ନ ରାଜ୍ୟରେ କାମ କରିଛନ୍ତି । ଏବେ ସିକିମ୍ରେ ନିୟୋଜିତ ଥିଲେ ସରୋଜ । ହେଲେ ସିକିମ୍ରେ ସହିଦ ହୋଇଯାଇଛନ୍ତି ସରୋଜ । ସରୋଜଙ୍କ ପାଇଁ ଏବେ ଢ଼େଙ୍କାନାଳର କେନ୍ଦୁଢ଼ୀପ ଗାଁ କାନ୍ଦୁଛି, ଓଡ଼ିଶା କାନ୍ଦୁଛି, ସାରା ଦେଶ ଝୁରୁଛି ।