କନକ ବ୍ୟୁରୋ: ସ୍ୱାମୀଙ୍କ ହାତ ଧରି ଚାଲିବା ପାଇଁ ବାପାଘରୁ ପାଦ କାଢିଥିଲେ । ବିବାହ ପରେ ୨ ବର୍ଷ ଯାଏଁ ସବୁକିଛି ଠିକ୍ଠାକ୍ ଥିଲା । ହେଲେ ହଠାତ୍ ସବୁ କିଛି ବଦଳିଗଲା । ସବୁଦିନ ପାଇଁ ହଜିଗଲା ସ୍ୱାମୀଙ୍କ ଦୃଷ୍ଟିଶକ୍ତି । କୋଳକୁ ଆସିଲା ବାମନ ପୁଅ ଓ ଗୋଟିଏ ଝିଅ । ସ୍ୱାମୀଙ୍କ ଦୃଷ୍ଟିଶକ୍ତି ହଜିଯିବା ପରେ ଅଂଜନାଙ୍କ ଜୀବନ ଆକାଶରେ ଛାଇ ଯାଇଛି ଦୁଃଖ କଳା ବାଦଲ ।

Advertisment

ନିୟତିର ନୀତି ବଡ ବିଚିତ୍ର । କେତେବେଳେ କାହା ଜୀବନରେ କଣ ଘଟିବ, କେତେବେଳେ ସୁଖର ସଂସାରରେ ଦୁଃଖ ଧସେଇ ପଶିବ, ସ୍ୱପ୍ନ ସବୁ ଭାଙ୍ଗିଯିବ ତାହା କହିହେବନି । ଏଇ ଯେମିିତି ବିବାହର ୨ ବର୍ଷ ପରେ ସୁନାର ସଂସାରରେ ଘୋଟି ଆସିଛି ଅମା ଅନ୍ଧାର । ସ୍ୱାମୀ କୈଳାଶ ଚନ୍ଦ୍ର ସାହୁଙ୍କ ଆଖିର ଜ୍ୟୋତି ହଜିଯାଇଛି । ଏତିକିରେ ସରିନି କଟକ ସାଲେପୁରର ଅଂଜନା ସାହୁଙ୍କ ଦୁଃଖ । ଭଗବାନ ତାଙ୍କ କୋଳରେ ଗୋଟିଏ ବାମନ ପୁଅ ଓ ଗୋଟିଏ ଝିଅ ଦେଇଛନ୍ତି । ପାଚିକା ଭାବେ କାମ କରି ସ୍ୱାମୀଙ୍କ ଔଷଧ ଖର୍ଚ ଓ ପିଲାଙ୍କ ଲାଳନପାଳନ କରିବା ଅଂଜନାଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।

ନୁଆଁଣିଆଁ ଚାଳ ଛପର ଘରେ ରହୁଛନ୍ତି ପୁରା ପରିବାର । ଏଇ ଘରଟିକୁ ଛାଡି ଦେଲେ ଜମିବାଡି ବୋଲି ଆଉ କିଛି ନାହିଁ । ଏଭଳି ସ୍ଥିତିରେ ଏହି ଅଭାବି ପରିବାର ପାଇଁ ସରକାରୀ ଯୋଜନାରେ ଆବସଟିଏ ମିଳିନଥିବା ଅଭିଯୋଗ ହୋଇଛି । ୧୫ କେଜିର ରାସନ ଚାଉଳ, ଦିବ୍ୟାଙ୍ଗ ଭତା ଓ ପାଚିକା କାମରୁ ମିଳୁଥିବା ପାରିଶ୍ରମିକରେ ଅଂଜନାଙ୍କ ପରିବାର ଚଳୁଛି । ଯେଉଁ ପରିବାର ଓଳିଏ ଖାଇ ଓଳିଏ ଉପାସରେ ରହୁଛି ସେ ପରିବାରର ପିଲାଙ୍କ ପାଠପଢା ନକହିବା ଭଲ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି । ସରକାରୀ ଯୋଜନାରେ ପକା ଘରଟିଏ ଓ ଶୌଚାଳୟଟିଏ ଯୋଗାଇ ଦେଲେ ଅଂଜନାଙ୍କ ପରିବାର ଟିକେ ଭଲରେ ବଂଚିପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।