ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କ ହତ୍ୟା ପରେ ଭଉଣୀ ଆଣିଲେ ସାଂଘାତିକ ଅଭିଯୋଗ: କହିଲେ, ଖଣ୍ଡିଏ ବାଡି ଧରି କେମିତି ଜଗିବେ ଜଙ୍ଗଲ?

450

କନକ ବ୍ୟୁରୋ: ଶିକାରୀଙ୍କ ଗୁଳିରେ ଫରେଷ୍ଟର ମୃତ । ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ଫରେଷ୍ଟ ଗାର୍ଡ ବିମଳ ଜେନା । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଶିମିଳିପାଳରେ ବାଘଙ୍କୁ ସୁରକ୍ଷା ଦେବା ପାଇଁ ଫରେଷ୍ଟ ଗାର୍ଡଙ୍କ ପହରା । ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଏମାନଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ହାତରେ ଖାଲି ବାଡି ଅଛି । ନା ଅଛି ଅସ୍ତ୍ରଶସ୍ତ୍ର ନା ଅଛି ବନ୍ଧୁକ । ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନା ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ତାଙ୍କ ଭଉଣୀ ମଧ୍ୟ ବନବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଫରେଷ୍ଟ ଗାର୍ଡଙ୍କୁ ଏକ ବାଡି ଦେଇ ଜଙ୍ଗଲ ଜଗିବାକୁ ପଠେଇ ଦିଆଯାଉଛି ।

ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
ଶିକାରୀଙ୍କ ବିରୋଧରେ ହେବ କି ଦୃଢ କାର୍ଯ୍ୟାନୁଷ୍ଠାନ?

କଡା ସୁରକ୍ଷା ବଳୟରେ ଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଅନୁସାରେ,
-ସୋମବାର ଜଙ୍ଗଲ ଭିତରେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ
-ଏହି ସମୟରେ ଏକ କୁଟୁରାକୁ ଶିକାର କରି ଶିକାରୀ ନେଇଯାଉଥିଲେ
-୫ରୁ ୬ ଜଣ ଶିକାରୀ ଆସିଥିଲେ, ତାଙ୍କ ପଛପଟେ ୧୦ ଜଣ ଥିଲେ
-ଆଉ ଶିକାରୀ ହଠାତ୍ ଗୁଳି କରି ଫେରାର ହୋଇଯାଇଥିଲେ

ଶିକାର କରିଥିବା ଶିକାରୀ ସ୍ଥାନୀୟ ଅଂଚଳର ବୋଲି ଜଣାଯାଇଛି । ୧୦ଜଣଙ୍କୁ ଚିହ୍ନଟ କରାଯାଇ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି । । ଗିରଫ ୨ ଶିକାରୀଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଜଙ୍ଗଲରେ ବନବିଭାଗ ଓ ପୋଲିସର ୫ଟି ଟିମ ଗଠନ କରି କମ୍ବିଂ ଅପରେସନ କରାଯାଉଛି । ମୃତ ଫରେଷ୍ଟ ଗାର୍ଡଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଶେଷ ସମ୍ମାନ ଦିଆଯିବା ପରେ ଅନ୍ତିମ ସଂସ୍କାର ହୋଇଛି ।

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ହତ୍ୟାକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏପଟେ କିନ୍ତୁ ଚୁପ୍ ଅଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ । ଏପରିକି ଏ ସମ୍ପର୍କିତ ପ୍ରଶ୍ନକୁ ଏଡାଇଯାଇଛନ୍ତି ।
ପ୍ରଶ୍ନ ଉଠୁଛି
ଶିମିଳିପାଳ ଭଳି ଅଭୟାରଣ୍ୟରେ ଶିକାରୀ କିଭଳି ସକ୍ରିୟ ରହୁଛନ୍ତି?
ଫରେଷ୍ଟଗାର୍ଡଙ୍କୁ ଅତ୍ୟାଧୁନିକ ମାରଣାସ୍ତ୍ର କାହିଁକି ଦିଆଯାଉନି ?