ବିଶ୍ୱାସ ଜିତିଲେ ରିକ୍ସାବାଲା । ସ୍ୱାମୀ ଓ ଝିଅ ଚାଲିଗଲା ପରେ ରିକ୍ସାବାଲା ନାଁରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା ।

353

କନକ ବ୍ୟୁରୋ: ସମ୍ପତ୍ତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ କଟକ ସହରର ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ ।

ନାଁ ମିନତୀ ପଟ୍ଟନାୟକ , ଘର ହେଉଛି ସୂତାହାଟ, କଟକ ସହର । ସମ୍ପର୍କର ନିଆରା ଉଦାହରଣ ସୃଷ୍ଟି କରି ଏବେ ଚର୍ଚ୍ଚାରେ କଟକର ଏହି ବୃଦ୍ଧା । ୬ମାସ ଭିତରେ ଆଗପଛ ହୋଇ ସ୍ୱାମୀ ଓ ଝିଅ ଚାଲିଗଲା ପରେ, ବୟସର ଅପରାହ୍ନରେ ପହଁଚିଥିବା ମିନତୀ, ଜଣେ ରିକ୍ସାବାଲାକୁ କଟକ ସହରରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସବାବପତ୍ର ଓ ସୁନାଗହଣା ଟେକି ଦେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ କୋଟିଏରୁ ଅଧିକ ହେବ ବୋଲି କୁହାଯାଉଛି । ଆଉ ଜୀବନର ଶେଷ ପର୍ଯ୍ୟନ୍ତ ରିକ୍ସାବାଲାର ପରିବାର ସହ ରହିବା ପାଇଁ ନିଷ୍ପତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ସ୍ୱାମୀ ଓ ଝିଅ ଚାଲିଗଲା ପରେ ଯିଏ କଠିନ ସମୟରେ ଠିଆ ହୋଇଥିଲେ ସେ ଥିଲେ ରିକ୍ସାବାଲା । ସମ୍ପର୍କୀୟମାନେ ଆସି ଶାନ୍ତ୍ୱନା ଦେଇ ଚାଲିଯାଉଥିବାବେଳେ ରିକ୍ସାବାଲା ପ୍ରତିଦିନ ମିନତୀଙ୍କ ସୁଖଦଃଖରେ ପାଖରେ ଛିଡା ହୋଇଥିଲେ । ରିକ୍ସାବାଲା ସହ ମିନତୀଙ୍କ ପରିବାରର ସମ୍ପର୍କ ଦୀର୍ଘ ୧୩ ବର୍ଷର । ଝିଅ ଯେତେବେଳେ ଛୋଟ ହୋଇଥିଲା ସେତେବେଳେ ସ୍କୁଲକୁ ନେଉଥିଲେ, ମିନତୀଙ୍କୁ ଅଫିସକୁ ନେଉଥିଲେ । କାହାର ଦେହ ଖରାପ ହେଲେ ଦୁଆର ମୁହଁରେ ଆଗ ଆସି ଛିଡା ହେଉଥିବା ମଣିଷ ଥିଲା ରିକ୍ସାବାଲା । ରିକ୍ସାବାଲା ଓ ତାଙ୍କ ପରିବାରର ବ୍ୟବହାର ଓ ଯତ୍ନରେ ସନ୍ତୁଷ୍ଟ ହୋଇ ଶେଷରେ ସବୁ ସମ୍ପତିକୁ ଟେକି ଦେଇଛନ୍ତି ମିନତୀ । ଆଜିର ଦୁନିଆଁରେ ଯେଉଁଠି ଆପଣାର ଲୋକଙ୍କ ମୁହଁକୁ କେହି ଚାହୁଁ ନାହାଁନ୍ତି ସେଠି ସମ୍ପର୍କର ଏକ ନୂଆ ପରିଭାଷା ସୃଷ୍ଟି କରିଛନ୍ତି ମିନତୀ । ସ୍ନେହ ଶ୍ରଦ୍ଧା ଆଗରେ ସମ୍ପତି ତୁଛ ବୋଲି ପ୍ରମାଣ କରିଦେଇଛନ୍ତି ମିନତୀ ।