ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ ଅନୁମତି ପ୍ରସଙ୍ଗ : ରାଜ୍ୟପାଳଙ୍କ ପ୍ରସ୍ତାବ ପରେ, ଆରମ୍ଭ ହୋଇଛି ବିତର୍କ

118

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ ଅନୁମତି ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରସ୍ତାବ ଦେବା ପରେ, ଆରମ୍ଭ ହୋଇଛି ବିତର୍କ । ଶ୍ରୀମନ୍ଦିରକୁ ବିଦେଶୀଙ୍କୁ ଅନୁମତି ଦିଆଯିବା କେତେ ଠିକ୍, କେତେ ଭୁଲ ସେ ନେଇ ବିତର୍କ ଆରମ୍ଭ ହୋଇଛି । କେହି କେହି ରାଜ୍ୟପାଳଙ୍କ ପ୍ରସ୍ତାବ ସପକ୍ଷରେ ମତ ରଖୁଛନ୍ତି । କିନ୍ତୁ ସେବାୟତଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ରାଜ୍ୟପାଳଙ୍କ ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଆଜି ଏହି ପ୍ରସଙ୍ଗରେ ମତ ରଖିଛନ୍ତି ରାଜ୍ୟ ରାଜନୀତିର ଦୁଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବିଜୟ ମହାପାତ୍ର ।

ଜଣେ ବିଦେଶୀ ନାଗରୀକଙ୍କ ପ୍ରବେଶ ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିବାବେଳେ ଅନ୍ୟ ଜଣେ ବିପକ୍ଷରେ ରଖିଛନ୍ତି ମତ । ଜଗତର ନାଥ ଜଗନ୍ନାଥ । ଯାହାଙ୍କୁ ସାରା ବିଶ୍ୱର ଦେବତା ବୋଲି କୁହାଯାଏ । କିନ୍ତୁ ଶ୍ରୀମନ୍ଦିରର ନୀତି ଓ ପରମ୍ପରା ଅନୁସାରେ , ମନ୍ଦିର ଭିତରକୁ ବିଦେଶୀ ନାଗରୀକଙ୍କ ଯିବା ଉପରେ କଟକଣା ରହିଛି । ସେହିପରି, ଇସଲାମ, ଖ୍ରୀଷ୍ଟିୟାନ, ପାର୍ସ ଧର୍ମାବଲମ୍ବୀମାନଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ରଥଯାତ୍ରା ସମୟରେ ସେମାନେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ହେଲେ, ସମୟ ବଦଳୁଥିବାରୁ ବିଦେଶରୁ ଆସୁଥିବା ଲୋକଙ୍କୁ ଚକାନୟନ ସହ ଆଖି ମିଳାଇବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।