ମାଗଣା ଚାଉଳ ପରେ ଆରମ୍ଭ ହେଲା ଘର ପାଇଁ କଳି । ପୁଣି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର । ଜାନୁଆରୀ ୧୬ରୁ ୨୪ ମଧ୍ୟରେ ପ୍ରଦର୍ଶିତ ହେବ ହିତାଧିକାରୀଙ୍କ ତାଲିକା

ଅଯୋଗ୍ୟ ହିତାଧିକାରୀ ଥିଲେ, କରିପାରିବେ ଅଭିଯୋଗ

268

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଘର ପାଇବେ ହିତାଧିକାରୀ । ଏଥିପାଇଁ ଯୋଗ୍ୟ ତାଲିକା ଆସନ୍ତା ୧୬ରୁ ୨୪ ତାରିଖ ଯାଏଁ ପ୍ରଦର୍ଶିତ ହେବ । ପ୍ରତ୍ୟେକ ହିତାଧିକାରୀଙ୍କ ଘର ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ରହିବ । କିନ୍ତୁ ବିଜୁ ପକ୍କାଘରର ଲୋଗୋ ରହିବ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ । ଯାହାକୁ ନେଇ ବିଜେଡି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି ।

  • ପୁଣି ମିଳିବ ଆବାସ ଘର
  • ପଞ୍ଚାୟତ କାନ୍ଥରେ ଲାଗିବ ତାଲିକା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇବେ ଘର । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ତାଲିକା ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ, ବ୍ଲକ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୧୭ ଲକ୍ଷ ଏବଂ ଫନି ସମୟରେ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧.୪୨ ଲକ୍ଷ ଘର ମଞ୍ଜୁର ହୋଇଛି । ରାଜ୍ୟସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସରେ ୮ଲକ୍ଷ ୪ହଜାର ୧୧୪ ଜଣ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଫନି କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ଜିଲ୍ଲାରୁ ୧ଲକ୍ଷ ୧୬ହଜାର ୭୮୫ଜଣଙ୍କ ତାଲିକା ସର୍ବସାଧାରଣରେ ଅବଗତି ନିମନ୍ତେ ଲଗାଯିବ ।

ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିଲେ ଏ ନେଇ ଅଭିଯୋଗ କରା ଯାଇପାରିବ । ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୭୦ ବା ୧୫୫୩୩୫ରେ ପରିଚୟ ପ୍ରଦାନ କରି ଅଭିଯୋଗ କରିପାରିବେ । ଅନଲାଇନ ମାଧ୍ୟମରେ ଙ୍ଗଙ୍ଗଙ୍ଗ.କ୍ସଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ପୋର୍ଟାଲରେ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ଅଭିଯୋଗ କରିହେବ ।

  • ଘର ଆଗରେ ଲାଗିବ କାହାର ଲୋଗୋ?
  • ପ୍ରଧାନମନ୍ତ୍ରୀ ଆବାସ ନା’ ବିଜୁ ପକ୍କାଘର?

ହିତାଧିକାରୀଙ୍କ ଘର ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ରହିବ । କିନ୍ତୁ ବିଜୁ ପକ୍କାଘରର ଲୋଗୋ ରହିବ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ । ଏହାକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କର ଅଭିଳଷିତ କାର୍ଯ୍ୟକ୍ରମ, ଏଥିରେ ଯଦି ରାଜ୍ୟ ସରକାର କିଛି ଏପଟ ସେପଟ କରନ୍ତି ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି କେନ୍ଦ୍ର ଯଦି ସବୁ ଶ୍ରେୟ ନେବାକୁ ଚାହୁଁଛନ୍ତି, ତେବେ ଶତକଡା ଶହେ ଭାଗ ଅନୁଦାନ ଦିଅନ୍ତୁ । ୬୦:୪୦ ବ୍ୟବସ୍ଥାରେ ନବୀନ ବାବୁଙ୍କ ପ୍ରୋତ୍ସାହନ ରାଶିକୁ ମିଶାଇଲେ କେନ୍ଦ୍ର ଓ ରାଜ୍ୟର ଅନୁଦାନ ୫୦:୫୦ ହୋଇଯାଉଛି । ଯଦି ରାଜ୍ୟ ସରକାରଙ୍କ ଲୋଗୋ ଲାଗେ, ତେବେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଆବାସ ଘର ଲାଗି ଜଣେ ହିତାଧିକାରୀ ନରୋଗାରେ କାମ, ଶୌଚାଳୟ ନିର୍ମାଣ ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ମିଶାଇଲେ ମୋଟ ୧ଲକ୍ଷ ୫୦ ହଜାରରୁ ୧ଲକ୍ଷ ୬୦ ହଜାର ଟଙ୍କା ପାଇବେ ।