ଆସିକା ସୂତାକଳ ପଛର ଅକୁହା କାହାଣୀ: କାରଖାନା ବନ୍ଦ ହୋଇଯିବା ପରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କର୍ମଚାରୀ

ଆସିକା ସୂତାକଳ ପଛର ଅକୁହା କାହାଣୀ: କାରଖାନା ବନ୍ଦ ହୋଇଯିବା ପରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କର୍ମଚାରୀ

କନକ ବ୍ୟୁରୋ: କିଏ କ୍ୟାନସରରେ ପଡିଛି ହେଲେ ମେଡିକାଲରେ ଦେଖାଇବା ପାଇଁ ପଇସା ନାହିଁ । କିଏ ପରିବାର ଚଳାଇବା ପାଇଁ ଝାଡୁ ପ୍ରସ୍ତୁତ କରୁଛି ତ ପୁଣି କିଏ ନିଜ ରୋଗିଣା ସ୍ତ୍ରୀ ଔଷଧ ଖର୍ଚ ପାଇଁ କନ୍ଥା ସିଲେଇ କରୁଛି। ଏହି ସବୁ ଘଟଣା ପ୍ରତ୍ୟେକ ଚରିତ୍ର ପଛରେ ରହିଥିବା କାହାଣି ଶୁଣିଲେ ଆପଣ ହତବାକ୍ ହୋଇଯିବେ ନିଶ୍ଚୟ । କାରଣ ଏମାନେ ସମସ୍ତେ ଚାକିରିଆ। ହେଲେ ସମୟ ଆଉ ପରିସ୍ଥିତି ଆଜି ଏମାନଙ୍କୁ ଏପରି ଦୁର୍ଦିନକୁ ଠେଲି ଦେଇଛି। ଆଜ୍ଞା ହଁ ଏମାନେ ହେଉଛନ୍ତି ବନ୍ଦ ହୋଇଯାଇଥିବା ଆସିକା ସୂତାକଳ କର୍ମଚାରୀ। ଆଉ ଏ ହେଉଛି ସୂତାକଳ ପଛର ଅକୁହା କାହାଣୀ ।

ଗଂଜାମ ଆସିକାରେ ଗଢି ଉଠିଥିବା ସୂତାକଳ ବନ୍ଦ ପଡିଛି। ଚାକିରି ହରାଇ ଅଭାବ ଅନଟନ ଭିତରେ କାଳ କାଟୁଛନ୍ତି କାରଖାନା ପାଇଁ ଜମି ଦେଇ ଚାକିରି ପାଇଥିବା କର୍ମଚାରୀ ଓ ଶ୍ରମିକ। ୬୬ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ଆସିକା ସୂତାକଳ। ଜମି ହରାଙ୍କୁ ମିଳିଥିଲା ନିଯୁକ୍ତି। ଦୈନିକ ୪ହଜାର କିଲୋ ସୂତା ଉତ୍ପାଦନ ହେଉଥିଲା। ଆସିକା ସୂତାକଳ ପରବର୍ତ୍ତି ସମୟରେ ଆସିକା ବାରିପଦା ସୋନପୁର ସୂତାକଳରେ ପରିବର୍ତନ ହୋଇଥିଲା। ଆଉ ସେବେଠୁ ହିଁ ଆରମ୍ଭ ହୋଇଥିଲା ସୂତାକଳର ଅଧପତନ।ବାରମ୍ବାର ମାଲିକାନା ପରିବର୍ତ୍ତନ ଯୋଗୁଁ ପରିଚାଳନା ଗତ ତ୍ରୁଟି ଓ ଶ୍ରମିକ ଅଶାନ୍ତି ଦେଖାଦେଲା । ଫଳରେ ୨୦୦୨ରୁ ୫ ବର୍ଷ ବନ୍ଦ ରହିଥିଲା କାରଖାନା।

୨୦୦୭ରେ ବାଲାଜୀ ସୂତାକଳ ନାମକ ଘରୋଇ କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ରାଜ୍ୟ ବାହାରୁ ଅଧିକ ଦରରେ କପା ଆମଦାନୀ ଯୋଗୁଁ କାରଖାନାକୁ କ୍ଷତି ସହିବାକୁ ପଡ଼ିଲା। ପ୍ରଥମେ କିଛି ଶ୍ରମିକକୁ ବାଧ୍ୟତାମୂଳକ ଅବସର ନେବାକୁ କୁହାଗଲା। ପରେ କିଛି ଶ୍ରମିକଙ୍କୁ ଛଟେଇ କରାଗଲା। ୨୦୧୩ ଫାଇଲିନ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦର୍ଶାଇ ବନ୍ଦ କରି ଦିଆଯାଇଛି। ସେହି ସମୟରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା ଏବେ ଅତିଦୟନୀୟ। କାରଖାନା ପଛପଟେ ଭଙ୍ଗା କ୍ୟାଟରରେ ରହୁଛନ୍ତି। ମୂଲ ଲାଗି ପେଟ ପୋଷୁଛନ୍ତି। କିଏ ରୋଗ ସହ ଲଢୁଛନ୍ତି, ଚିକିତ୍ସା ପାଇଁ ଟଙ୍କା ନାହିଁ । ତଥାପି ମନରେ ଛୋଟ ଆଶାଟିଏ ଅଛି, ପୁଣି ସୂତାକଳ ଖୋଲିବ, ତାଙ୍କ ଜୀବନ ହସଖୁସିରେ କଟିବ।

ବିନୋଦିନୀ ନାୟକ, ବୟସ ୪୦
ପଞ୍ଚୁ ସେଠୀ, ବୟସ-୫୨
ସୂତାକଳ ଛଟେଇ କର୍ମଚାରୀ

ବିନୋଦିନୀ ନାୟକ ସୂତାକଳରେ କାମ କରି ରୋଜଗାର କରୁଥିଲେ। ଏବେ ସେ ରୋଗାଗ୍ରସ୍ତ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଚାକିରି କରି ବି ଟଙ୍କା ଅଭାବରୁ ନିଜର ଚିକିତ୍ସା ଖର୍ଚ୍ଚ ତୁଲାଇ ପାରୁନାହାନ୍ତି। ସେହିଭଳି ପଞ୍ଚୁ ସେଠୀଙ୍କ ଅବସ୍ଥା । ଛଟେଇ କର୍ମଚାରୀ ରୋଗିଣା ସ୍ତ୍ରୀ ଔଷଧ ଖର୍ଚ୍ଚ ତୁଲାଇବା ପାଇଁ କନ୍ଥା ସିଲେଇ କରୁଛନ୍ତି ।

୬ ଜଣ ସୁରକ୍ଷା କର୍ମି ଓ ଜଣେ ଅଫିସର ଏବେ ବି ସୂତାକଳ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବେଳେ କୋଟି କୋଟି ଟଙ୍କାର କୋଠା ଧିରେଧିରେ ନଷ୍ଟ ହୋବାକୁ ବସିଲାଣି। କାରଖାନା ଜମି ଜବରଦଖଲ ହେଲାଣି । ସେପଟେ ଗଂଜାମର ବହୁ କୁଶଳି ଶ୍ରମିକ ଅନ୍ୟ ରାଜ୍ୟର ସୂତାକଳରେ କାମ କରିବାକୁ ଯାଉଛନ୍ତି । ତେଣୁ ଆସିକା ସୂତାକଳଟିର ପୁନଃରୁଦ୍ଧାର ହେଲେ ସ୍ଥାନୀୟ ଲୋକେ କର୍ମ ନିଯୁକ୍ତି ପାଇ ପାରନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe