କନକ ବ୍ୟୁରୋ: ବଢିଲା ପେଟ୍ରୋଲ ଡିଜେଲ ଦର । ସର୍ବଭାରତୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ବୃଦ୍ଧି ପାଇଛି । ସେହିପରି ବଡ ଗ୍ରାହକଙ୍କ ଲାଗି ଡିଜେଲ ଲିଟର ପିଛା ଦର ୨୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଏହା ଦ୍ୱାରା କଳ କାରଖାନା, ପରିବହନ ଓ ଶିଳ୍ପ ସଂସ୍ଥା ଗୁଡିକ ବେସ ପ୍ରଭାବିତ ହେବେ । ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ମଧ୍ୟ ୫୦ ଟଙ୍କା ବୃଦ୍ଧି ହୋଇଛି । ପାଂଚୋଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଦରଦାମ ବୃଦ୍ଧି ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।
ପୁଣି ଝଟକା ଦେଲା ପେଟ୍ରୋଲ ଓ ଡିଜେଲ ଦର । ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ଦୀର୍ଘ ୪ ମାସ ପରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ବର୍ତମାନ ପେଟ୍ରୋଲ ଲିଟର ପିଛା ଦର ୯୬ ଟଙ୍କା ୨୧ ପଇସା ଡିଜେଲର ଲିଟର ପିଛା ଦର ୮୭ ଟଙ୍କା ୪୭ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୮୨ ପଇସା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୯୫ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୧୬ ପଇସା ଓ ଡିଜେଲ ୯୨ ଟଙ୍କା ୧୯ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୧୦୫ ଟଙ୍କା ୫୧ ପଇସା ରହିଛି ଏବଂ ଡିଜେଲ ୯୦ ଟଙ୍କା ୬୨ ପଇସା ରହିଛି । ତେବେ ହଠାତ ତେଲ ଦରରେ ବୃଦ୍ଧି ହେବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।
ଲିଟର ପିଛା ବର୍ଦ୍ଧିତ ନୂଆ ଦର ....
ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୬ ଟଙ୍କା ୨୧ ପଇସା, ୮୭ ଟଙ୍କା ୪୭ ପଇସା
ମୁମ୍ବାଇ ୧୧୦ ଟଙ୍କା ୮୨ ପଇସା, ୯୫ ଟଙ୍କା
ଚେନ୍ନାଇ ୧୦୨ ଟଙ୍କା ୧୬ ପଇସା, ୯୨ ଟଙ୍କା ୧୯ ପଇସା
କୋଲକାତା ୧୦୫ ଟଙ୍କା ୫୧ ପଇସା, ୯୦ ଟଙ୍କା ୬୨ ପଇସା
ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ଯୋଗୁ ଅଶୌଧିତ ତେଲର ବ୍ୟାରେଲ ପିଛା ଦାମ୍ ୧୪୦ ଡଲାର ପାର କରିବା ପରେ ମଧ୍ୟ କମ୍ପାନୀଗୁଡିକ ତେଲ ଦର ବଢାଇନଥିଲେ । ଉତରପ୍ରଦେଶ ସମେତ ୫ ରାଜ୍ୟର ନିର୍ବାଚନ ଯୋଗୁ ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢାଇନଥିଲେ । ଏପରିକି ୫ ରାଜ୍ୟର ଫଳାଫଳ ଆସିବା ପରେ ତେଲ ଦର ବଢିବ ବୋଲି କୁହାଯାଉଥିଲା । ସେହିପରି ବଡ ଗ୍ରାହକମାନଙ୍କ ପାଇଁ ଡିଜେଲ ଲିଟର ପିଛା ଦାମରେ ୨୫ ଟଙ୍କାର ବ୍ୃଦ୍ଦି ଘୋଷଣା ହୋଇଛି । ଟାଙ୍କର ଜରିଆରେ କିଣୁଥିବା କମ୍ପାନୀ ବା ସଂସ୍ଥା ମାନେ ଏହା ଦ୍ୱାରା ପ୍ରଭାବିତ ହେବେ । ଭାରତୀୟ ରେଳ, ସପିଙ୍ଗ ମଲ, ଶିଳ୍ପ ସଂସ୍ଥା, କଳ କାରଖାନା, ବିମାନ ବନ୍ଦର ଏବଂ ପରିବହନ ସଂସ୍ଥା ମାନେ ପ୍ରଭାବିତ ହେବେ ବୋଲି କୁହାଯାଉଛି ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼ । ରୋଷେଇ ଘର ଉପରେ ବଢିଛି ଦର ବୃଦ୍ଧିର ପ୍ରଭାବ । ଏଲ୍ପିଜି ସିଲିଣ୍ଡର ମଧ୍ୟ ଦରବୃଦ୍ଧି ହୋଇଛି । ଏଲ୍ପିଜି ଗ୍ୟାସ୍ ୫୦ ଟଙ୍କା ମହଙ୍ଗା ହୋଇଛି । ଗତ ବର୍ଷ ଅକ୍ଟୋବର ୬ ତାରିଖଠାରୁ ଗ୍ୟାସ୍ ଦର ବୃଦ୍ଧି ହୋଇନଥିଲା । ଘରୋଇ ସିଲିଣ୍ଡର ଦର ଏକାଥରରେ ୫୦ ଟଙ୍କା ବୃଦ୍ଧି ପାଇବା ଦ୍ୱାରା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି ।