ନିର୍ବାଚନ ଫଳାଫଳ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ । ଜାଣନ୍ତୁ କେଉଁଠ କାହାକୁ ନେଇ ଚର୍ଚ୍ଚା ।

677

କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିର ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦୌଡରେ ୪ ଜଣ ପ୍ରମୁଖ ନେତା ଆଗରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ବସୁନ୍ଧରା ରାଜେ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଝାଲରପତ୍ତନ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନର ବିଜୟ ପାଇଁ ସେ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି । ତେବେ ବିଜେପି ନେତୃତ୍ୱ ରାଜେଙ୍କ ସପକ୍ଷରେ ନଥିବା ଜଣାପଡିଛି ।

ଦିଆକୁମାରୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ତାଙ୍କୁ ବସୁନ୍ଧରା ରାଜେଙ୍କ ବିକଳ୍ପ ଭାବେ ଦେଖାଯାଉଛି । ସେ ବି ରାଜପରିବାରରୁ ଆସିଛନ୍ତି ଓ ବସୁନ୍ଧରାଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ସେ ହେଉଛନ୍ତି ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି ।

ଗଜେନ୍ଦ୍ର ସିଂ ଶେଖାୱତ—ରାଜସ୍ଥାନ ବିଜେପିର ଜଣେ ଜଣାଶୁଣା ନେତା । ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣା

ବାଲକ ନାଥ–ଅଲୱାରରୁ ଏବେ ସାଂସଦ ଅଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ୟୁପି ଷ୍ଟାଇଲ ରାଜନୀତି ଅନୁସାରେ ବାଲକ୍ ନାଥଙ୍କୁ ବାଛିପାରେ ବିଜେପି । ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥାଆନ୍ତି ବାଲକ ନାଥ ।

ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି ।ରମଣ ସିଂ, ବିଷ୍ଣୁ ଦେଓ ସାଇ, ରାମ ବିଚାର ନେତମ ଓ ରେଣୁକା ସିଂ । ଲଗାତର ୩ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗତକାଲି ରାତିରେ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟିଛନ୍ତି । ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳକୁ ଆଖିରେ ରଖି ଭୁପେଶ ବଘେଲ ଇସ୍ତଫା ପତ୍ର ଦେଇଛନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଏଥିସହ ନୂଆ ସରକାର ଗଠନ ଯାଏଁ ଦାୟିତ୍ୱ ତୁଳାଇବାକୁ କହିଛନ୍ତି ।