କନକ ବ୍ୟୁରୋ: ଗୋଟିଏ ପଟେ ବୌଦ୍ଧର ଚାଷୀ ଧରଣୀ ମେହେରଙ୍କ ଜୁଇ, ଅନ୍ୟପଟେ ମଣ୍ଡିରୁ ଉଠୁଛି ଧାନ । ଯେଉଁଥିପାଇଁ ୨୩ ଦିନ ହେଲା ସେ ଚାତକ ଭଳି ଅପେକ୍ଷା କରି ରହିଥିଲେ । ବଂଚିଥିବା ବେଳେ କେହି ତାଙ୍କର ଗୁହାରି କେହି ନଥିଲେ । ମୃତ୍ୟୁ ପରେ ତରବରିଆ ଭାବେ ମଣ୍ଡିରୁ ଉଠିଛି ଧାନ । ହେଲେ ଏହା ଦେଖିବାକୁ ଆଉ ଜୀବିତ ନାହାନ୍ତି ଧରଣୀ । ୨୩ ଦିନ ଧରି ମଣ୍ଡିରେ ଜଗି ରହିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବରକୁ ନେଇ ବୌଦ୍ଧରୁ ବିଧାନସଭା ପର୍ଯ୍ୟନ୍ତ ହୁଲୁସ୍ତୁଲୁ ହେବା ପରେ ଚେତା ପଶିଥିଲା ପ୍ରଶାସନର ।

ଅମଳ କରିଥିବା ୫୬ କ୍ୱିଂଟାଲ୍ ଧାନ ବିକ୍ରି କରିବା ପାଇଁ ଜାନୁଆରୀ ୨୫ ତାରିଖରେ ଧରଣୀଙ୍କୁ ଟୋକନ୍ ମିଳିଥିଲା । ଭାବିଥିଲେ, ଧାନ ବିକି ଚାଷ ପାଇଁ କରିଥିବା କରଜ ଶୁଝିବେ । ଆଜି ଧାନ ଉଠିବ, କାଲି ଧାନ ଉଠିବ, ଏମିତି ଭାବେ ୨୩ ଦିନ ଧରି ଅପେକ୍ଷା କରିବା ପରେ ବି ଧାନ ଉଠିନଥିଲା । ଏହାରି ଭିତରେ ମଣ୍ଡି ପରିସରରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ ଧରଣୀ ।

ଏହି କାହାଣୀ କେବଳ ଧରଣୀଙ୍କର ନୁହେଁ, ଅନେକ ଚାଷୀ ଏବେ ବି ଧାନ କେବେ ବିକ୍ରି ହେବ, ଚାତକ ଭଳି ଅପେକ୍ଷା କରିଛନ୍ତି । ମୃତ୍ୟୁ ପରେ ଧରଣୀଙ୍କ ଧାନ ଉଠିଗଲା, ଏଠି ପ୍ରଶ୍ନ ଉଠୁଛି, ଅନ୍ୟ ଚାଷୀଙ୍କ ଦୁଃଖ କେବେ ଦୂର ହେବ, ସେ ନେଇ କିଏ ଦେବ ପ୍ରତିଶ୍ରୁତି ।

ମଣ୍ଡିରେ ଧାନ ଉଠିବାକୁ ଅପେକ୍ଷା କରି ଧରଣୀଙ୍କ ସବୁ ଆଶା, ସବୁ ସ୍ୱପ୍ନ ତାଙ୍କ ଜୁଇ ସହ ପୋଡ଼ି ପାଉଁଶ ହୋଇଯାଇଛି । ଗୋଟିଏ ଦିନରେ ଧାନ ଉଠିଯିବା ସମ୍ଭବ ହେଉଥିବା ବେଳେ କାହିଁକି ଚାଷୀଙ୍କ ଜୀବନ ସହ ଖେଳୁଛି ସ୍ଥାନୀୟ ପ୍ରଶାସନ । କାହିଁକି ସୁଧୁରୁନାହିଁ ମଣ୍ଡିର ଅବ୍ୟବସ୍ଥା? ଧରଣୀଙ୍କ ମୃତ୍ୟୁ ପାଇଁ କାହାକୁ କରାଯିବ ଦାୟୀ? ଏହି ପ୍ରଶ୍ନ ବାରମ୍ବାର ଉଠିବ, ଯଦି ଅନ୍ନଦାତାଙ୍କ ଅକାଳ ମୃତ୍ୟୁ ହେଉଥିବ । ଦେଶବାସୀଙ୍କ ଭୋକ ମେଂଟାଉଥିବା ଚାଷୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉନଥିବ ।