କନକ ବ୍ୟୁରୋ: ମାସକ ଭିତରେ ଦୁଇ ଦୁଇ ଜଣ ବନ କର୍ମଚାରୀଙ୍କୁ ଗୁଳିମାଡ଼ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବନ କର୍ମଚାରୀ । ପ୍ରଶାସନର ଅବହେଳା ପାଇଁ ବନ କର୍ମଚାରୀଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛି ଓଡ଼ିଶା ଅଣଗେଜେଟ୍ ବନସେବା ସଂଘ । ତେଣୁ ସୋମବାର ଠାରୁ ଜୁଲାଇ ୮ ତାରିଖ ଯାଏଁ ସଂଘ ରାଜ୍ୟବ୍ୟାପୀ ପ୍ରତିବାଦ କରିବ । ସଂଘ ତରଫରୁ କୁହାଯାଇଛି ଯେ ଯଦି ସେମାନଙ୍କର ୫ଟି ଦାବି ପୂରଣ ନହେବ, ସେମାନେ ସାମୂହିକ ଛୁଟିରେ ଯିବେ ଓ ଆନ୍ଦୋଳନକୁ ଓହ୍ଲାଇବେ । ସଂଘର ୫ଟି ଦାବି - ୨୦୦୯ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ ହେଉ - ୱେଲଫେୟାର ଫଣ୍ଡ ଗଠନ କରାଯାଉ - ସର୍କଲ ରିଅର୍ଗାନାଇଜେସନ୍ ଗଠନ କରାଯାଉ - ରେଞ୍ଜ ସେକ୍ସନ ବିଟ୍ ରିଜନ୍ ଗଠନ କରାଯାଉ - ତେଲେଙ୍ଗାନା ସରକାର ଭଳି ଏକ୍ସ ଗ୍ରାସିଆ ଦିଆଯାଉ ଏହାରି ଭିତରେ ବନ କର୍ମଚାରୀ ମାଟି ହାଁସଦାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବନ କର୍ମଚାରୀ ଓ ରାଜନୈତିକ ବ୍ୟକ୍ତି ବିଶେଷ ।
ଆଉ ଶିକାରୀ ଗୁଳିରେ ଜଙ୍ଗଲ ଓ ବନ୍ୟ ଜନ୍ତୁକୁ ସୁରକ୍ଷା ଦେଉଥିବା କମଚାରୀଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ବନ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସେ କହିଛନ୍ତି, ବନ କର୍ମଚାରୀଙ୍କୁ ଯେଉଁ ବନ୍ଧୁକ ଦିଆଯାଉଛି, ସେଥିରେ ଗୁଳି ଅଛି, କିନ୍ତୁ ଫୁଟୁ ନାହିଁ । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ବନ କର୍ମଚାରୀ ଓ ଶିମିଳିପାଳର ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଇଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦେଉଥିବା କାମ୍ପା ଫଣ୍ଡରେ ଯଥେଷ୍ଟ ଅର୍ଥ ରାଜ୍ୟ ପାଉଥିବା ବେଳେ ତାହା ଜଙ୍ଗଲ ସୁରକ୍ଷାରେ କାହିଁକି ଖର୍ଚ୍ଚ ହେଉନାହିଁ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।
ଅନ୍ୟ ରାଜ୍ୟରେ ଶିକାରୀଙ୍କୁ ଦେଖିଲେ, ସିଧା ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଥିଲା ବେଳେ ଏଠାରେ ଏମିତି ନିୟମ କାର୍ଯ୍ୟକାରୀ ହେଉନାହିଁ, କିମ୍ବା ବନସୁରକ୍ଷା କର୍ମଚାରୀଙ୍କୁ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ବନ କର୍ମଚାରୀ ଶିକାରୀଙ୍କୁ ଅଟକାଇବାରେ ସଫଳ ହେଉନାହାନ୍ତି, ତେବେ ରାଜ୍ୟରେ ଥିବା ସଶସ୍ତ୍ରବାହିନୀକୁ କାହିଁକି ବ୍ୟବହାର କରାଯାଉନି ବୋଲି ପ୍ରଶ୍ନ ଉଠୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/ahahah.jpg)