ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ: ପୁଅର ଦେହାନ୍ତ ପରେ ବୋହୂର କରାଇଲେ ପୁର୍ନବିବାହ

1,372

କନକ ବ୍ୟୁରୋ: ପୁଅକୁ ବାହାକରି ନୂଆ ବୋହୂ ଘରକୁ ଆଣିଲା ବେଳେ, ପ୍ରତି ପରିବାର ପ୍ରତିଶ୍ରୁତି ଦେଇ କୁହନ୍ତି, ବୋହୂକୁ ଆମେ ଝିଅ ଭଳି ରଖିବୁ । କିନ୍ତୁ ଶ୍ୱଶୁର, ବାପାଙ୍କ ସ୍ଥାନ ନେବା ଏବଂ ବୋହୂ, ଶ୍ୱଶୁର ଘରେ ଝିଅର ସମ୍ମାନ ପାଇବା ଖୁବ୍ କମ ଦେଖାଯାଏ । ହେଲେ, ଆଜି ବି ଏମିତି କିଛି ଶ୍ୱଶୁର ଅଛନ୍ତି, ଯେଉଁମାନେ ବୋହୂଙ୍କୁ ଝିଅ ଭଳି ଗ୍ରହଣ ଥାନ୍ତି । ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଯଦି ଆମେ ସେମିତି ଜଣେ ଶ୍ୱଶୁର କହିଲେ ହୁଏତ ଭୁଲ ହେବ ନାହିଁ । ପୁଅ ଚାଲିଯିବା ପରେ ବିଧବା ବୋହୂକୁ ବାପାଟିଏ ହୋଇ ଦ୍ୱିତୀୟ ବିବାହ କରିଛନ୍ତି । ପୁରୁଣା ପ୍ରଥା ଓ ପରମ୍ପରାକୁ ପଛରେ ପକାଇ ବୋହୂଙ୍କୁ ଝିଅ ଭଳି ବିଦା କରିଛନ୍ତି ।

ବିଧବା ବୋହୂଙ୍କୁ ସଧବାର ସିନ୍ଦୁର ପିନେ୍ଧଇ ଦେବା ପାଇଁ ଆଗେଇ ଆସିଛନ୍ତି ଜଣେ ଶ୍ୱଶୁର । ପୁଅର ମୃତ୍ୟୁ ହୋଇଯିବା ପରେ ବୋହୂର ବେରଙ୍ଗ ଜୀବନରେ ରଙ୍ଗ ଭରିଦେବା ପାଇଁ ଉଦ୍ୟମ କରିଛନ୍ତି । ବର୍ଷ ବର୍ଷ ଧରି ସମାଜରେ ଘର କରି ରହିଥିବା ପୁରୁଣା ପ୍ରଥା-ପରମ୍ପରା ଓ ରୁଢ଼ିବାଦୀ ଚିନ୍ତାଧାରାକୁ ପଛରେ ପକାଇ ଦେଇ, ନିଜ ବୋହୂର ଦ୍ୱିତୀୟ ବିବାହ କରିଛନ୍ତି ଢ଼େଙ୍କାନାଳ ଗଁନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ।ବୋହୂଙ୍କୁ ବାହା ଦେବା ପରେ ସୋସିଆଲ ମିଡିଆରେ ଲେଖିଛନ୍ତି ଏକ ଆବେଗଭରା ପୋଷ୍ଟ । ଯେଉଁଥିରେ ସେ ଲେଖିଛନ୍ତି-

ଆଜି ଦିନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରିଛି କି ଠିକ୍ କରିଛି ଜାଣିନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋର ସ୍ୱର୍ଗତ ବଡ଼ ପୁଅ ସମ୍ବିତର ସ୍ତ୍ରୀ ମଧୁସ୍ମିତାକୁ ଦ୍ୱିତୀୟ ବିବାହ ପାଇଁ ସମ୍ମତି ଦେଇଛି । ଏଥରେ ଆମ ଦୁଇ ପରିବାର ମୋର ସମୁଦି ତଥା ମଧୁସ୍ମିତାଙ୍କ ବାବା ନୀଳମଣୀ ପଣ୍ଡାଙ୍କ ସମ୍ମତିକ୍ରମେ ଏହି ବାହାଘର ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି ।

ବାଲେଶ୍ୱର ଜିଲ୍ଲା ରେମୁଣାର ସ୍ୱର୍ଗତ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁଅ ଶିବ ଚନ୍ଦନଙ୍କ ସହ ବୋହୂ ମଧୁସ୍ମିତାଙ୍କ ବିବାହ କରାଇଥିବା ନେଇ ସୂଚନା ଦେବା ସହ ସୋସିଆଲ ମିଡିଆ ପୋଷ୍ଟରେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ଉଭୟଙ୍କ ସୁଖମୟ ଦାମ୍ପତ୍ୟ ଜୀବନର କାମନା କରିଛନ୍ତି ।

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ୨୦୨୧ରେ ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ ସମସ୍ୟା ଯୋଗୁଁ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏପରିକି ତାଙ୍କ ପାଇଁ ଏକ୍ମୋ ଚିକିତ୍ସା ଜରୁରୀ ଥିବାବେଳେ ଓଡିଶାରେ ଏହି ମେସିନ ଉପଲବ୍ଧ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ନବୀନ ନନ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତତକାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରି ଚିଠି ଲେଖିଥିଲେ । ବାହାରେ ଏହି ଚିକିତ୍ସା ସେବା ବ୍ୟୟବହୁଳ ହୋଇଥିବାରୁ ତାଙ୍କ ପୁଅର ଜୀବନ ବଂଚାଇବା ସମ୍ଭବ ହେଲା ନାହିଁ ବୋଲି ଅତି କ୍ଷୋଭର ସହ ପ୍ରକାଶ କରିଥିଲେ । ଦୀର୍ଘଦିନ ଧରି ଭେଂଟିଲେଟରରେ ରହିବା ପରେ ୨୦୨୧ ମେ ୨୨ ତାରିଖରେ ଆଖି ବୁଜିଥିଲେ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ ।